Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି ଏହି ୩ ଖେଳାଳି, ଆଉ ଟିମରେ ସାମିଲ ନ ହୋଇ ପାରନ୍ତି !

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ସେମିଫାଇନାଲ ପରାଜୟକୁ ପଛରେ ପକାଇ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପ୍ରସ୍ତୁତି ହେଉଛି। ବିସିସିଆଇ ଚୟନକର୍ତ୍ତା ଟିମ୍ ରବିବାର ଟିମ୍‌ ଇଣ୍ଡିଆର ଖେଳାଳି ଚୟନ କରି ସାରିଛି। ଦିନ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ତିନୋଟି ଫର୍ମାଟରେ ଟିମ୍‌ ଚୟନ କରିସାରିଛି ବିସିସିଆଇ। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଟିମ୍‌ରେ କେତେକ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଥିବାବେଳେ କେତେକ ଖେଳାଳି ଟିମରୁ ବାଦ୍ ପଡିଛନ୍ତି। ଟିମ୍ ରୁ ବାଦ୍ ପଡିଥିବା ଖେଳାଳିଙ୍କ ମଧ୍ୟରେ ବହୁ ବଡ ବଡ ଖେଳାଳିଙ୍କ ନାଁ ମଧ୍ୟ ସାମିଲ ଅଛି। ଏହି ଟିମ୍ ରୁ ବାଦ୍ ପଡିଥିବା ଖେଳାଳିମାନଙ୍କ ପାଇଁ ପୁଣି ଟିମ୍ କୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି। କାରଣ ଶୁଭମନ ଗିଲ୍, ଋତୁରାଜ ଗାଇକ୍ବାର୍ଡ, ଅଭିମନ୍ୟୁ ଇଶ୍ବରନ୍ ଏବଂ ଶ୍ରୀକର ଭରତଙ୍କ ଭଳି ଯୁବ ଖେଳାଳି ମଧ୍ୟ ଟିମ୍ ରେ ସାମିଲ ହେବା ପାଇଁ ଚେଷ୍ଟାରେ ଅଛନ୍ତି। ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି।

ଭାରତୀୟ ଟିମ୍‌ରୁ ଯେଉଁ ୩ ଜଣ ଖେଳାଳି ବାଦ୍ ପଡିଛନ୍ତି ସେମାନଙ୍କ ମଧ୍ୟରେ ଦୁଇ ଜଣ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଛନ୍ତି। ମୁରଲୀ ବିଜୟ, ପାର୍ଥିବ ପଟେଲ ଓ ଦୀନେଶ କାର୍ତ୍ତିକଙ୍କ ନାଁ ଏଥିରେ ସାମିଲ ଅଛି। ଯେଉଁମାନେ ଟପ୍ ଅର୍ଡରରେ ବ୍ୟାଟିଂ କରିଥାନ୍ତି। ଏହି ଖେଳାଳିମାନଙ୍କର ବର୍ତ୍ତମାନର ଫର୍ମ ଏବଂ ବୟସ ଦେଖି ଚର୍ଚ୍ଚା ହେଉଛି ଯେ, ଏବେ ଏହି ଖେଳାଳିମାନଙ୍କୁ କେବେ ଭାରତୀୟ ଜର୍ସି ପିନ୍ଧି ଖେଳିବାର ଦେଖିବାକୁ ମିଳିନପାରେ।


ମୁରଲୀ ବିଜୟ:
ଟେଷ୍ଟ ମ୍ୟାଚରେ ଦମଦାର ବ୍ୟାଟିଂ କରୁଥିବା ମୁରଲୀ ବିଜୟଙ୍କ କ୍ୟାରିୟରରେ ଏବେ ସଙ୍କଟରେ ରହିଛି। ମୁରଲୀ ବିଜୟଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିଲା। ମାତ୍ର ସେହି ମ୍ୟାଚ୍ ରେ ତାଙ୍କର ପ୍ରଦର୍ଶନ ଭଲ ନଥିଲା। ଫଳରେ ତାଙ୍କୁ ଟିମ୍ ରୁ ବାଦ୍ ଦିଆଯାଇଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ରେ ଖେଳି ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ। ମୁରଲୀ ବିଜୟ ଏପର୍ଯ୍ୟନ୍ତ ଭାରତ ପାଇଁ ୬୧ ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। ଯେଉଁଥିରେ ସେ ୩୮.୨୯ ରନ୍ ରେଟ୍ ହିସାବରେ ମାତ୍ର ୩୯୮୨ ରନ୍ ସଂଗ୍ରହ କରିଛନ୍ତି। ବିଜୟଙ୍କର ଏବେ ପୁଣି ଟିମ୍ କୁ ଫେରିବା ଏକ ପ୍ରକାରର କଷ୍ଟସାଧ୍ୟ ଜଣାପଡୁଛି। କାରଣ ଯୁବ ଖେଳାଳି ପୃଥ୍ବୀ ଶା ଏବେ ଟିମ୍ ରେ ସାମିଲ ହେବା ପାଇଁ ଲାଇନରେ ଅଛନ୍ତି।


ଦୀନେଶ କାର୍ତ୍ତିକ:
ଓ୍ବାନଡ଼େ କ୍ରିକେଟ୍ ଏବଂ ଟି୨୦ କ୍ରିକେଟ୍ ଟିମ୍ ରେ ନିୟମିତ ଖେଳୁଥିବା ଦୀନେଶ କାର୍ତ୍ତିକଙ୍କୁ ଏବେ ଚୟନକର୍ତ୍ତା ଟିମ୍ ରୁ ବାଦ୍ ଦେଇଛନ୍ତି। ୨୦୧୯ ବିଶ୍ବକପ୍ ରେ ମଧ୍ୟ ଭାରତୀୟ ଟିମ୍ ରେ ସାମିଲ ଥିଲେ କାର୍ତ୍ତିକ। ବିଶ୍ବକପ୍ ରେ ଭଲ ପ୍ରଦର୍ଶନ କରିପାରିନଥିଲେ ଦୀନେଶ। ସେ ୩ଟି ମ୍ୟାଚ୍ ଖେଳି ମାତ୍ର ୧୪ ରନ୍ ସଂଗ୍ରହ କରିପାରିଥିଲେ। ଦୀନେଶ କାର୍ତ୍ତିକ ଭାରତୀୟ ଟିମ୍ ପାଇଁ ଏପର୍ଯ୍ୟନ୍ତ ୯୪ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୩୦.୨୧ ରନ୍ ରେଟ୍ ହିସାବରେ ୧୭୫୨ ରନ୍ ସଂଗ୍ରହ କରିପାରିଛନ୍ତି। ବର୍ତ୍ତମାନ ଦୀନେଶ କାର୍ତ୍ତିକଙ୍କ ବୟସ ୩୪ ବର୍ଷ। ଦୀନେଶ କାର୍ତ୍ତିକଙ୍କୁ ପୁଣି ଥରେ ଭାରତୀୟ ଟିମ୍ ରେ ସ୍ଥାନ ମିଳିବା ନେଇ ଆଶଙ୍କା କରାଯାଉଛି।


ପାର୍ଥିବ ପଟେଲ:
ଟେଷ୍ଟ ଟିମ୍‌ରୁ କେତେବେଳେ ବାଦ୍ ତ ପୁଣି କେତେବେଳେ ସାମିଲ ହୋଇଥାନ୍ତି ପାର୍ଥିବ ପଟେଲ। ପାର୍ଥିବ ପଟେଲ ପୂର୍ବଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲ । ପାର୍ଥିବ ଏପର୍ଯ୍ୟନ୍ତ ଭାରତୀୟ ଟିମ୍ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୩୧.୧୩ ରନ୍ ରେଟ୍ ହିସାବରେ ମାତ୍ର ୯୩୪ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୬ଟି ଅର୍ଦ୍ଧଶତକ ସାମିଲ ଅଛି। ପାର୍ଥିବଙ୍କର ଏବେ ପୁଣି ଥରେ ଭାରତୀୟ ଟିମ୍‌ରେ ସାମିଲ ହେବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ। କାରଣ ଋଷଭ ପନ୍ଥ , ଋଦ୍ଧିମାନ ଶାହ ପ୍ରମୁଖ ଭାରତୀୟ ଟିମରେ ଅଛନ୍ତି। ଅନ୍ୟପଟେ ଯୁବ ଖେଳାଳି ଶ୍ରୀକର ଭରତଙ୍କ ଭଳି ଓ୍ବିକେଟ୍ କିପର ଏବେ ଭାରତୀୟ ଟିମ୍ ରେ ସାମିଲ ହେବା ପାଇଁ ଦୌଡ଼ରେ ଅଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ପାର୍ଥିବ ପଟେଲଙ୍କୁ ଆଉ ଭାରତୀୟ ଦଳରେ ସ୍ଥାନ ନମିଳିପାରେ।

Comments are closed.