Odisha Link
Bridging the Missing Links in Odisha

ଆଜି ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ୱଭୂଷଣ, ପଢ଼ନ୍ତୁ କିଛି ଜଣାଅଜଣା ତଥ୍ୟ

ଆନ୍ଧ୍ର ପ୍ରଦେଶ: ଆଜି ୨୩ ତମ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବିଶ୍ୱଭୂଷଣ ହରିଚନ୍ଦନ। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ବିଶ୍ବଭୂଷଣ ୧୦ମ ଓଡ଼ିଆ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିବେ। ତେବେ ଆସନ୍ତୁ ଜାଣିବା ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳଙ୍କ କିଛି ଜଣା ଅଜଣା କଥା।

ଶିକ୍ଷାଗତ ଯୋଗ୍ୟତା:
୧୯୩୪ ମସିହା ଅଗଷ୍ଟ ୩ତାରିଖରେ ସ୍ବାଧୀନତା ସଂଗ୍ରାମୀ ପର୍ଶୁରାମ ହରିଚନ୍ଦନଙ୍କ ଦ୍ବିତୀୟ ସନ୍ତାନ ଭାବେ ବାଣପୁରର ଗମ୍ଭାରୀମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ସାଲିସ ବିହୀନ ରାଜନୀତିକୁ ଗରୁତ୍ବ ଦେଇ ଆସିଛନ୍ତି। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପାଠ ପଢିବା ବେଳେ ଏସଆରସି ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଏହାପରେ କଟକ ମଧୁସୂଦନ ଆଇପନ ମହାବିଦ୍ୟାଳୟରୁ ଆଇନରେ ସ୍ବାତକୋତ୍ତର ଡିଗ୍ରୀ ଲାଭ କଲାପରେ ରାଜନୀତିରେ ପାଦ ଥାପିଥିଲେ। ହାଇକୋର୍ଟରେ ଓକିଲାତି କରୁଥିବା ବିଶ୍ୱଭୂଷଣ,ଏକଦା କୋର୍ଟରେ ବିଚାରପତିଙ୍କୁ“ମାଇ ଲର୍ଡ”ଭାବେ ସମ୍ବୋଧନ କରୁଥିଲେ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଜୁକ୍ତି ହେବା ପରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଏବେ ସମସ୍ତେ ମାନ୍ୟବର ଭାବେ ସମ୍ବୋଧନ କରିବେ।

ରାଜନୈତିକ ଜୀବନୀ:
୧୯୭୧ ମସିହାରେ ବିଶ୍ୱଭୂଷଣ ହରିଚନ୍ଦନ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ। ସେ ଭାରତୀୟ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ୧୯୭୫ ମସିହାରେ ସେ ମିସା ଆଇନ ବଳରେ ଗିରଫ ହୋଇ ସେ ଜେଲ ଯାଇଥିଲେ। ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ଯୋଗ ଦେଇଥିଲେ କିନ୍ତୁ ୧୯୯୬ ଏପ୍ରିଲ ମାସରେ ପୁଣି ବିଜେପିକୁ ଫେରି ଆସିଥିଲେ। ସେ ଚିଲିକା ଓ ଭୁବନେଶ୍ୱରରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ୧୯୭୭ରେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ। ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ ଆଇନ, ଶିଳ୍ପ, ଖାଦ୍ୟ ଯୋଗାଣ, ସଂସ୍କୃତି, ପର୍ଯ୍ୟଟନ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ସାହିତ୍ୟ ପ୍ରୀତି:
ରାଜନୀତି ବ୍ୟତୀତ ବିଶ୍ବଭୂଷଣ ହରିଚନ୍ଦନଙ୍କ ସାହିତ୍ୟ ପ୍ରତି ରୁଚି ରହିଛି। ସେ ନିଜ ଆତ୍ମଜିବନୀ ବ୍ୟତିତ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ଲିଖିତ ପୁସ୍ତକ ମଧ୍ୟରୁ ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା, ମାନସୀ ଓ ସଂଗ୍ରାମ ସରି ନାହିଁ(ଆତ୍ମଜିବନୀ) ଆଦି ପ୍ରମୁଖ ପୁସ୍ତକ ଅଟେ।

Comments are closed.