Odisha Link
Bridging the Missing Links in Odisha

ପାଟକୁରା: ଆଜି ସୁପର ଓଭରରେ କିଏ ମାରିବ ବାଜି?

କେନ୍ଦ୍ରାପଡ଼ା: ଆଜି ପାଟକୁରା ବିଧାନସଭା ନିର୍ବାଚନ ଭୋଟଗଣତି। କିଏ ଜିତିବ କିଏ ହାରିବ ଫଳାଫଳ ଘୋଷଣା ପରେ ଜଣା ପଡ଼ିବ। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନରେ ବିଜୟୀ ହେବା ନେଇ ଦମ୍ଭୋକ୍ତି ବାଢ଼ିଥିବାବେଳେ ଅନ୍ୟପଟେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଦଳର ବିଧାୟକ ମାନେ ପୂର୍ବରୁ କହି ସାରିଛନ୍ତି।

କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ୧୮ଟି ରାଉଣ୍ଡରେ ଭୋଟ ଗଣନା ହେବ। ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ହେଉଛି। ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶାସକ ଦଳ ନିଜର ପୁରା ଶକ୍ତି ସାମର୍ଥ୍ୟ ଲଗାଇ ଦେଇଥିଲା। ଦଳର ମନ୍ତ୍ରୀ-ବିଧାୟକ ଓ ହେଭିୱେଟ୍ ନେତାମାନଙ୍କୁ ପଞ୍ଚାୟତ ଦାୟିତ୍ୱ ବଣ୍ଟନ ଓ ଆଖିବୁଜା ଟଙ୍କା ଖର୍ଚ୍ଚ ସହ ସ୍ଥାନୀୟ ପ୍ରଶାସନକୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବା କାର୍ଯ୍ୟରେ ଖୁଲମଖୁଲା ଉପଯୋଗ କରାଯାଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହେଉଛି। ପାଟକୁରା ନିର୍ବାଚନକୁ ଏକତରଫା କବଜା କରିବା ପାଇଁ ବିଜେଡି ଯେଉଁ ରଣନୀତି କରିଥିଲା ତାହା ସ୍ଥାନୀୟ ବିଜେପିର ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ ସଫଳ ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ବିଜେଡି ନେତାମାନେ ଏବେ ଦଳୀୟ ପ୍ରାର୍ଥୀ ୨୫ରୁ ୩୦ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ବାଢ଼ିବାକୁ ପଛାଉନାହାନ୍ତି।

ଅପରପକ୍ଷରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି ଯେ, ‘‘ମୁଁ ମୋ’ ଜୀବନରେ ବହୁତ ନିର୍ବାଚନ ଓ ଉପ-ନିର୍ବାଚନ ଦେଖିଛି। ହେଲେ ପାଟକୁରାରେ ଏଥର ଯେଉଁଭଳି ନିର୍ବାଚନ ହେଲା ତାହା ଅତୀତରେ ଓଡ଼ିଶାରେ କେଉଁଠି ହୋଇ ନଥିଲା କି ଆଗକୁ ମଧ୍ୟ ହେବ ନାହିଁ। ଏହା ଏକ ଐତିହାସିକ ନିର୍ବାଚନ ଥିଲା। ଏହା ମୋ’ ପାଇଁ ସ୍ମରଣୀୟ ହୋଇ ରହିବ।’’ ପାଟକୁରା ନିର୍ବାଚନ ଫଳାଫଳ ପାଇବା ପୂର୍ବରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଏହି ବୟାନ ଓଡ଼ିଶା ରାଜନୀତିରେ ଅନେକ ଗୁରୁତ୍ୱ ବହନ କରୁଛି। ବିଜୟ ସ୍ୱୀକାର କରିଛନ୍ତି ଯେ ‘ଏହି ନିର୍ବାଚନ ତାଙ୍କ ପାଇଁ ବଡ଼ ପରୀକ୍ଷା’ ଥିଲା। ତେବେ ବିଜେପିର ମଧ୍ୟ ବହୁ ଓଜନଦାର ନେତା, ସାଂସଦ, କେନ୍ଦ୍ରମନ୍ତ୍ରୀଙ୍କୁ ପାଟକୁରା ମଇଦାନରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ବିଜେପି ପକ୍ଷରୁ ଟଙ୍କା ବଣ୍ଟନ ଓ କେତେକ ସ୍ଥାନରେ ଗୁଣ୍ଡାଗର୍ଦ୍ଦି ନେଇ ମଧ୍ୟ ବିଜେଡି ପକ୍ଷରୁ ଅଭିଯୋଗ ଉଠିଛି।

ଗୋଟିଏ କଥା ସ୍ପଷ୍ଟ, ଦୁଇ ପ୍ରମୁଖ ଦଳ ପାଇଁ ଏଥର ପାଟକୁରାରେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିତାପଟ କାହାର ହେବ ତାହା ତ ଆଉ କିଛି ଘଡ଼ି ପରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଏଥର ପାଟକୁରାରେ ସାମ୍ବାଦିକଙ୍କୁ ଆକ୍ରମଣ ଠାରୁ ଆରମ୍ଭ କରି, ଗୁଣ୍ଡାଗିରି, ସରକାରୀ କର୍ମଚାରୀଙ୍କ ପ୍ରଚାର ଓ ଟଙ୍କାବଣ୍ଟାର ଯେଉଁ ମିଶ୍ର ପରମ୍ପରା ତିଆରି ହେଲା ତାହା ଯେ ଗଣତନ୍ତ୍ର ପାଇଁ ଏକ ନକରାତ୍ମକ ଉଦାହରଣ ହୋଇ ରହିବ, ଏହା ନିଃସନ୍ଦେହ।

ବିଜୟଙ୍କ ପାଇଁ ଶେଷ ନିର୍ବାଚନ!
ଗତ ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ରହିଛନ୍ତି ବିଜୟ ମହାପାତ୍ର। ବିଜୟଙ୍କ ପାଇଁ ଚଳିତ ନିର୍ବାଚନ ଶେଷ ଲଢ଼େଇ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡିରୁ ହାତ ଛାଡ଼ିବା ପରେ ବିଜୟ ରାଜନୀତିରେ ଅନେକ ପରୀକ୍ଷା ଦେଇଛନ୍ତି। ହେଲେ ସବୁଠି ବିଫଳତାର ସମ୍ମୁଖୀନ ହୋଇଛନ୍ତି। ବିଜୟ ବିଜେଡିରୁ ଗଲା ପରେ ଓଜିପି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ହେଲେ କିଛି ଫାଇଦା ମିଳିନଥିଲା ବିଜୟଙ୍କୁ।  ୨୦୦୪ ନିର୍ବାଚନରେ ରେ ବିଜୟ ପାଟକୁରାରୁ ଓଜିପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ଏବଂ ପରାଜୟ ବରଣ କରିଥିଲେ। ପରେ ବିଜୟ ଏନସିପରେ ସାମିଲ ହୋଇ ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। ଯେଉଁ ବିଜେଡିଠାରୁ ପ୍ରତିଶୋଧ ନେବାବୁ ବିଜୟ ଚାହୁଁଥିଲେ ସେହି ଦଳ ସହ ଏନସିପି ୨୦୦୪ରେ ଆସନ ବୁଝାମଣା କରିଥିଲା। ଫଳରେ ବିଜୟ ଏନସିପି ଛାଡ଼ିଥିଲେ। ୨୦୦୯ରେ ବିଜେଡିଠାରୁ ଦୂରେଇ ଥିବା ବିଜେପିରେ ସାମିଲ ହୋଇଥିଲେ ବିଜୟ। ବିଜେପି ଟିକେଟରେ ବିଜୟ ପୁଣି ପାଟକୁରାରୁ ୨୦୦୯ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୪ରେ ମହାକାଳପଡ଼ାରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ବିଜୟ ୨୦୧୯ରେ ପୁଣି ପୁରୁଣା ମଇଦାନ ପାଟକୁରା ଫେରିଥିଲେ। ୧୯ବର୍ଷ ଧରି ବିଜୟର ସ୍ୱାଦ ଚାଖିନଥିବା ବିଜୟ ମହାପାତ୍ର ଏଥର ଜିତନ୍ତୁ ବା ହାରନ୍ତୁ, ଏହା ହିଁ ତାଙ୍କ ଜୀବନର ଶେଷ ନିର୍ବାଚନ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed.