ବରଗଡ଼ ଏବେ ବିଷଗଡ଼
ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ
ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି ଫର୍ଦ୍ଦ ଫର୍ଦ୍ଦ ସ୍ବପ୍ନର ପାଣ୍ଡୁଲିପି। ଆଉ ଏମିତି ସମୟରେ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ବିକାଶ ନୁହେଁ ବରଂ ବିଷ ବଳୟରେ ବରଗଡ଼ ଏବେ ଆକ୍ତାମାକ୍ତା ବୋଲି ଜଣାପଡ଼ିଛି।
ପଶ୍ଚିମ ଓଡ଼ିଶାର ଏହି ଐତିହ୍ୟ ସହରର କଥା ପଡ଼ିଲେ ପ୍ରଥମେ ଦୁଇଟି ଚିତ୍ର ହିଁ ମନକୁ ଆସେ। ଗୋଟିଏ ହେଉଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଓ ଅନ୍ୟଟି ଧାନଚାଷ। ବରଗଡ଼ରେ ଚାଉଳ ଉତ୍ପାଦନକୁ ଲକ୍ଷ୍ୟ କରି ଅନେକେ ଏହାକୁ ଓଡ଼ିଶାର ଭାତହାଣ୍ଡି ବୋଲି ବି କହିଥାଆନ୍ତି। ତେବେ ସାରା ରାଜ୍ୟକୁ, ଏପରିକି ରାଜ୍ୟ ବାହାରକୁ ଚାଉଳ ଯୋଗାଉଥିବା ବରଗଡ଼ର ଚାଷୀ ଦେହରେ ଏବେ ସଂଚରି ଯାଇଛି ବିଷ। ଆଉ ଏଇ ବିଷର ପ୍ରଭାବରେ ଜିଲ୍ଲାରେ ପ୍ରାୟ ୧୧୦୦ ଲୋକ ଏବେ ମାରାତ୍ମକ କର୍କଟ ରୋଗରେ ପୀଡ଼ିତ। ରାଜ୍ୟରେ ପ୍ରତି ୪ ଜଣ କ୍ୟାନ୍ସର ପୀଡ଼ିତଙ୍କ ମଧ୍ୟରୁ ଜଣେ ହେଉଛି ବରଗଡ଼ ଜିଲ୍ଲାର।
ସୀମାବର୍ତ୍ତୀ ଜିଲ୍ଳା ସମ୍ବଲପୁରର ବୁର୍ଲା ଠାରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ବା ଭିଏସ୍ଏସ୍ ଚିକିତ୍ସାଳୟର ଫାର୍ମାକଲୋଜି ବିଭାଗର ଡାକ୍ତର ଅଶୋକ ପାଣିଗ୍ରାହୀ ରାଜ୍ୟର ୨୩ଟି ଜିଲ୍ଲାରେ କ୍ୟାନ୍ସରର ପ୍ରଭାବ ନେଇ ଏକ ସର୍ଭେ କରିଥିଲେ। ୨୦୧୮ ଅକ୍ଟୋବର ମାସରେ ଏ ନେଇ ତାଙ୍କର ଗବେଷଣାଲବ୍ଧ ଆଲେଖ IOSR Journal of Dental and Medical Sciencesରେ ପ୍ରକାଶ ପାଇଥିଲା।
ଡାକ୍ତର ପାଣିଗ୍ରାହୀଙ୍କ ପ୍ରକାଶିତ ଆଲେଖର ତଥ୍ୟ ଅନୁସାରେ ରାଜ୍ୟରେ ବରଗଡ଼ ହେଉଛି କର୍କଟ ରୋଗ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା। ବରଗଡ଼ର କ୍ୟାନ୍ସର ପୀଡ଼ିତଙ୍କ ହାର ଅନ୍ୟ ଜିଲ୍ଲା ତୁଳନାରେ ଯଥେଷ୍ଟ ଅଧିକ ଓ ଚିନ୍ତାଜନକ। ରାଜ୍ୟର ୨୬.୩ ପ୍ରତିଶତ କ୍ୟାନ୍ସର ରୋଗୀ ବରଗଡ଼ ଜିଲ୍ଲାରେ ଅଛନ୍ତି। ଡାକ୍ତର ପାଣିଗ୍ରାହୀଙ୍କ ତଥ୍ୟ ଆଧାରରେ ୨୦୧୪-୧୫ ମସିହାରେ ଜିଲ୍ଲାରେ ୧୦୧୭ ଜଣ କ୍ୟାନ୍ସର ପୀଡ଼ିତ ଠାବ ହୋଇଥିବା ବେଳେ ୨୦୧୫-୧୬ରେ ଏହି ସଂଖ୍ୟା ୧୦୬୬କୁ ଓ ୨୦୧୬-୧୭ରେ ୧୦୯୮କୁ ବୃଦ୍ଧି ପାଇଛି। ତାଙ୍କ ଗବେଷଣାରେ ୨୦୧୭ ପର୍ଯ୍ୟନ୍ତ ତଥ୍ୟ ଥିବା ବେଳେ ଏବେ ଆଉ ଦୁଇ ବର୍ଷ ଭିତରେ ହୁଏତ ଏ ସଂଖ୍ୟା ବେଶ୍ ଅଧିକ ହୋଇଯାଇଥିବା ଅନୁମେୟ।
ଅଧିକାଂଶ ଏଠାରେ ଗ୍ରୀବା କର୍କଟ, ସ୍ତନ କର୍କଟ, ଚର୍ମ କର୍କଟ, ହାତ, ବେକ, ପେଟ, ଶ୍ବାସନଳୀ, ରକ୍ତ ଓ ଜରାୟୁ କର୍କଟରେ ମଧ୍ୟ ପୀଡ଼ିତ।
ଡାକ୍ତର ପାଣିଗ୍ରାହୀଙ୍କ ରିପୋର୍ଟ ଆଧାରରେ ନିକଟରେ ନୂଆଦିଲ୍ଲୀରୁ ପ୍ରକାଶିତ ପ୍ରସିଦ୍ଧ ପରିବେଶ ପତ୍ରିକା ‘ଡାଉନ୍ ଟୁ ଆର୍ଥ’ (ଡିଟିଇ)ରେ ବରଗଡ଼ର କ୍ୟାନ୍ସର ରୋଗକୁ ନେଇ ବହୁ ଉଦାହରଣ ସମ୍ବଳିତ ଏକ ଗ୍ରାଉଣ୍ଡ୍ ରିପୋର୍ଟ ଚଳିତ ସଂଖ୍ୟା (୧-୧୫ ଅକ୍ଟୋବର)ରେ ପ୍ରକାଶ କରିଛି।
ଏ ରିପୋର୍ଟ ଅନୁସାରେ ଜିଲ୍ଲାର ମୋଟ ୧୨୯୪ଟି ଗାଁରେ ବାସ କରୁଥିବା ୧୪ ଲକ୍ଷ ଲୋକଙ୍କ ମଧ୍ୟରୁ ବହୁ ଲୋକ ଜାଣତରେ ବା ଅଜାଣତରେ କ୍ୟାନ୍ସର ରୋଗରେ ପୀଡ଼ିତ। ମାତ୍ର ୬ଟି ଗାଁରେ କ୍ୟାନ୍ସର କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। କ୍ୟାନ୍ସର ଆକ୍ରାନ୍ତ ବହୁ ଲୋକ ଏବେ ମୃତ୍ୟୁ ଅପେକ୍ଷାରେ।
ନବେ ଦଶକରୁ ବରଗଡ଼ରେ ଚିକିତ୍ସା କରିଆସୁଥିବା ଡାକ୍ତର ରାମ ପୁରୋହିତ ଡିଟିଇକୁ କହନ୍ତି- ଏହା ସତ ଯେ କ୍ୟାନ୍ସର ଆମ ଜୀବନ ଚକ୍ର ଭିତରକୁ ପ୍ରବେଶ କରି ସାରିଛି। ଏଠାରେ ପ୍ରତିଟି ପରିବାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କ୍ୟାନ୍ସର ଦ୍ବାରା ପ୍ରଭାବିତ।
ବରଗଡ଼ରେ୨୦୦୫ ମସିହାରେ ପ୍ରତିଷ୍ଠିତ ୫୦ ଶଯ୍ୟା ବିଶିଷ୍ଟ ସାଇକୃପା ନର୍ସିଂ ହୋମର ପ୍ରତିଷ୍ଠାତା ଡାକ୍ତର ରାଜେଶ ତ୍ରିପାଠୀଙ୍କ ଅନୁସାରେ ପ୍ରତି ମାସରେ ତାଙ୍କ ଡାକ୍ତରଖାନାକୁ ୧୦-୧୫ ଜଣ କ୍ୟାନ୍ସର ରୋଗୀ ଆସନ୍ତି। ପ୍ରତି ମାସରେ ଏଠାରେ ଯେତିକି ଶଲ୍ୟ ଚିକିତ୍ସା (surgery) ହୁଏ ତନ୍ମଧ୍ୟରୁ ଅତି କମରେ ୫ଟି କ୍ୟାନ୍ସର ସମ୍ବନ୍ଧୀୟ।
ଜିଲ୍ଲାର ୧୨ଟି ବ୍ଲକରୁ ଅତାବିରା ଓ ଭେଡେନ୍ ବ୍ଲକ କ୍ୟାନ୍ସର ଦ୍ବାରା ସର୍ବାଧିକ ପ୍ରଭାବିତ। ଭେଡେନ୍ ବ୍ଲକର ଭୋଇପାଲି ଗାଁର ଅତି କମରେ ୧୫ଟି ପରିବାର (ଅନେକ ପରିବାରରେ ଏକାଧିକ ବ୍ୟକ୍ତି) କ୍ୟାନ୍ସର ପୀଡ଼ିତ। ଏହି ଗାଁର ବାସନ୍ତି ଭୋିଙ୍କ ପରିବାରରେ ୩ ଜଣ କ୍ୟାନ୍ସର ପୀଡ଼ିତ ହୋଇଥିବା ବେଳେ ଇତି ମଧ୍ୟରେ ବାସନ୍ତୀଙ୍କ ଭାଇଙ୍କର ମୃତ୍ୟୁ ହୋଇସାରିଛି।
ତେବେ ବରଗଡ଼ରେ ମହାମାରୀ କ୍ୟାନ୍ସରର ପ୍ରମୁଖ କାରଣ ଧାନକ୍ଷେତରେ କୀଟନାଶକ ପ୍ରୟୋଗ।
୨୦୧୬ରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରବେଶ ବିଜ୍ଞାନୀ ପ୍ରଫେସର ବିଆର ମହାନନ୍ଦଙ୍କ ଗବେଷଣା ନିବନ୍ଧ ‘ପଶ୍ଚମି ଓଡ଼ିଶାର ଚାଷୀଙ୍କ ସ୍ବାସ୍ଥ୍ୟ ଉପରେ କୀଟନାଶକର ପ୍ରଭାବ’ (Impact of Pesticides on Farmer’s Health of Western Odisha)ରେ ଏ ନେଇ ବିଷଦ ଆଲୋଚନା ହୋଇଛି।
ପ୍ରଫେସର ମହାନନ୍ଦଙ୍କ ଅନୁସାରେ ବରଗଡ଼ରେ ମୁଖ୍ୟତଃ pyrethroid, organophosphate, thiocarbamate ଓ neonicotenide ଭଳି ଚାରି ପ୍ରକାରର କୀଟନାଶକ ବ୍ୟବହାର କରାଯାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏସବୁ ୨ୟ ଶ୍ରେଣୀ କ୍ଷତିକାରକ ବିଭାଗରେ ଯାଉଛି। ପ୍ରଥମ ଶ୍ରେଣୀ କ୍ଷତିକାର ରସାୟନ ସବୁଠାରୁ ଭୟଙ୍କର ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀର କୀଟନାଶକ ମଧ୍ୟ ବେଶ୍ ପ୍ରଭାବୀ। ମଣିଷର ସ୍ବାସ୍ଥ୍ୟ ଓ ପରିବେଶ ଉପରେ ଏହାର କୁ ପ୍ରକାଭ ବେଶ୍ ଅଧିକ ବୋଲି ପ୍ରଫେସର୍ ମହାନନ୍ଦ କହନ୍ତି।
ରିପୋର୍ଟ ଅନୁସାରେ ବରଗଡ଼ ଜିଲ୍ଲାରେ ୨୦୧୬ରେ ୪୪୦.୭ ଟନ୍ କୀଟନାଶକ ବ୍ୟବହୃତ ହୋଇଥିବା ବେଳେ ୨୦୧୭ରେ ଏହା ୭୧୩.୮ ଟନ୍କୁ ବୃଦ୍ଧି ପାଇଛି। ୨୦୧୮ ମସିହାରେ କୀଟନାଶକ ବ୍ୟବହାର ପରିମାଣ ଥିଲା ୩୪୯.୯ ଟନ୍। ଗୋଟିଏ ପଟେ କୀଟନାଶକ ଉତ୍ପାଦକ ଓ ବିକ୍ରେତା ଏତେ ପରିମାଣର ସାମଗ୍ରୀ ବିକି ଲାଭବାନ ହେଉଥିବା ବେଳେ ଅନ୍ୟପଟେ ନିଜ ଜୀବୀକା ବଞ୍ଚାଇବା ପାଇଁ କୀଟନାଶକର ସାହାରା ନେଇ ରୋଗରେ ତଳିତଳାନ୍ତ ହେଉଛନ୍ତି ଏଠାକାର ଗରିବ ଚାଷୀ।
ଅନ୍ୟପଟେ ବରଗଡ଼ରେ କ୍ୟାନ୍ସର ଚିକିତ୍ସା ମଧ୍ୟ ଏତେଟା ସହଜ ନୁହେଁ। ଜିଲ୍ଲାରେ ୫୦-ଶଯ୍ୟାବିଶିଷ୍ଟ ମାତ୍ର ଗୋଟିଏ ସରକାରୀ ଡାକ୍ତରଖାନା ରହିଛି। ସରକାରଙ୍କ ପକ୍ଷରୁ ମାଗଣା କେମୋ ଥେରାପି ଦିଆଯିବାର ବ୍ୟବସ୍ଥା ଥିବାରୁ ଏଠାରେ ପ୍ରବଳ ଭିଡ଼ ହେବା ସ୍ବାଭାବିକ। କିନ୍ତୁ ସାଧାରଣ ଏମ୍ଆର୍ଆଇ, ଏଣ୍ଡୋସ୍କୋପି ଓ ସିଟି ସ୍କାନ୍ ଭଳି ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ନାହିଁ।
ଘରୋଇ ଡାକ୍ତରଖାନାରେ ଏଣ୍ଡୋସ୍କୋପି ପରୀକ୍ଷା ପାଇଁ ୨୦୦୦ ଯଙ୍କା ଦେବାକୁ ପଡ଼ୁଥିବା ବେଳେ ସିଟି ସ୍କାନ୍ ପାଇଁ ୫୦୦୦ ଟଙ୍କା ଦେବାକୁ ପଡ଼ୁଛି। ସୁବିଧା ନଥିବାରୁ ଏଠାର ଡାକ୍ତର ସାଧାରଣତଃ କ୍ୟାନ୍ଦର ରୋଗୀଙ୍କୁ ଭୀର ସୁରେନ୍ଦ୍ର ସାଏ ଡାକ୍ତରଖାନାକୁ ପଠାଇ ଦେଇଥାଆନ୍ତି। ସେଠାରେ ୩୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ଓ୍ବାର୍ଡରେ ୨୬୦ ପର୍ଯ୍ୟନ୍ତ ରୋଗୀଙ୍କୁ ରଖିବାକୁ ପଡ଼ୁଛି। ତା ଉପରେ ପୁଣି ଏତେ ରୋଗୀଙ୍କୁ ଏ ଡାକ୍ତରଖାନାରେ ମାତ୍ର ୩ ଜଣ ଅଙ୍କଲୋଜିଷ୍ଟ ଓ ୧୩ ଜଣ ନର୍ସ ଅଛନ୍ତି।
ଏ ନେଇ ଆମେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମତାମତ ଲୋଡ଼ିଥିଲେ ବି ତାଙ୍କ ଠାରୁ ଏଯାଏଁ କୌଣସି ମନ୍ତବ୍ୟ ମିଳିପାରିନାହିଁ।
Comments are closed.