ଆଜି ସୁପ୍ରିମ୍କୋର୍ଟରେ ‘ମହାରାଷ୍ଟ୍ର’ ଶୁଣାଣି
ମୁମ୍ବାଇ: ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଶୁଣାଣି ହେବ। ଗତକାଲି ଏନସିପି ନେତା ଅଜିତ ପାଓ୍ବାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାପାଇଁ ସମର୍ଥ ହୋଇଥିଲା। ଏହାକୁ ବିରୋଧ କରି ଶିବସେନା,କଂଗ୍ରେସ ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍କୋର୍ଟ ଜରୁରୀକାଳୀନ ଭାବେ ରବିବାର ଏହି ଆବେଦନର ଶୁଣାଣି କରିବାର ଅଛି।
ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍ଙ୍କ ପ୍ରତି ୧୪୪ ବିଧାୟକଙ୍କର ସମର୍ଥନ ରହିଥିବାର ମଧ୍ୟ କୌଣସି ପ୍ରମାଣ ନଥିବା ସେ କହିଛନ୍ତି। ଏଥିସହିତ ସେମାନେ ରାଜ୍ୟପାଳଙ୍କ ପଦକ୍ଷେପ ବାବଦରେ କହିଛନ୍ତି, ସେ ଫଡ଼ନାଭିସ୍ଙ୍କ ଦାବିକୁ ନୀରିକ୍ଷଣ କରି ଏବଂ ତର୍ଜମା କରି ନିଷ୍ପତ୍ତି ନେବାର ଥିଲା। ଅନ୍ୟପକ୍ଷରେ ଶପଥ ଗ୍ରହଣ ଏତେ ଭୋର ସମୟରେ କାହିଁକି ହେଲା ଏବଂ ଶନିବାର ସୂର୍ଯ୍ୟୋଦୟ ପୂର୍ବରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କେମିତି ହେଲା ତାହା ମଧ୍ୟ ପ୍ରଶ୍ନ କରାଯାଇଛି।
ଏବେ ସମସ୍ତଙ୍କର ନଜର ରହିଛି ସୁପ୍ରିମ କୋର୍ଟ ଉପରେ। ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବ ସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଆଜି ଯେଉଁ ପିଟିସନ ଦାଖଲ କରାଯାଇଛି ତାହାର କାଲି (ରବିବାର) ଦିନ ୧୧ଟା ୩୦ ମିନିଟରେ ଶୁଣାଣି କରାଯିବ। ଏହି ପିଟିସନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବେଆଇନ ଦର୍ଶାଯିବା ସହିତ ଫଡ୍ନାଭିସଙ୍କୁ ୨୪ ଘଣ୍ଟା ଭିତରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ନିର୍ଦେଶ ଦେବାକୁ ଦାବି କରାଯାଇଛି। ଏହା ଉପରେ ସର୍ବୋଚ୍ଚ ଅଦାଲତ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ସୂଚନାଯୋଗ୍ୟ ଯେ ୨୦୧୮ ମଇ ମାସରେ କର୍ଣ୍ଣାଟକରେ ଠିକ୍ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଖ୍ୟାଗିଷ୍ଠତା ନଥାଇ ମଧ୍ୟ ବିଜେପି ନେତା ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ ରାଜ୍ୟପାଳ। ତାଙ୍କୁ ଆସ୍ଥାର ପ୍ରମାଣ ଦେବାଲାଗି ୧୫ ଦିନ ସମୟ ଦେଇଥିଲେ। ଏହାକୁ ବିରୋଧ କରି ବିରୋଧୀ କଂଗ୍ରେସ ଓ ଜେଡିଏସ୍ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ୨୪ ଘଣ୍ଟା ଭିତରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ସୁପ୍ରିମ କୋର୍ଟ ୟେଦୁରପ୍ପାଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଆସ୍ଥା ଭୋଟ୍ ପୂର୍ବରୁ ୟେଦୁରପ୍ପା ଇସ୍ତଫା ଦେଇଥିଲେ। କାଲି ସୁପ୍ରିମ କୋର୍ଟ ସେଭଳି କୌଣସି ନିର୍ଦେଶ ଦେଇପାରନ୍ତି ବୋଲି ଶିବ ସେନା ଓ ଏପସିପି ଆଶା ବାନ୍ଧିଛନ୍ତି।
Comments are closed.