ନିଷ୍ପତ୍ତିରେ ଅଟଳ ଅଜିତ
ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଓ ଏନସିପି ନେତା ଅଜିତ ପାଓ୍ବାର। ହେଲେ ଏଯାଏଁ ଏନସିପି ମୁଖ୍ୟ ଶରଦ ପାଓ୍ବାର ଅଜିତ ପାଓ୍ବରଙ୍କୁ ଦଳରୁ ବହିଷ୍କାର କରିନାହାନ୍ତି। ମିଳିଥିବା ଖବର ମୁତାବିକ ବିଜେପିଠୁ ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିବାକୁ ନାରାଜ ଏନସିପି ବିଧାୟକ ଅଜିତ ପାଓ୍ୱାର। ପାଓ୍ୱାର ପରିବାର ଏବଂ ଦଳୀୟ ନେତାଙ୍କ ତରଫରୁ ଅଜିତଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି। ହେଲେ ଏଯାଏ ଦଳ ସଫଳ ହୋଇନାହିଁ।
ଶନିବାର ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପାଓ୍ୱାର ଶପଥ ଗ୍ରହଣ କରିବା ପରେ ଆଜି ବିଧାନ ଭବନ ଆସି କାର୍ଯ୍ୟଭାର ସମ୍ଭାଳିଥିଲେ। ଏହି ସମୟରେ ଏନସିପି ନେତା ଛଗନ ଭୂଜବଳଙ୍କ ସମେତ ଅନେକ ନେତା ଅଜିତ ପାଓ୍ୱାରଙ୍କୁ ଭେଟିଥିଲେ। ଭୂଜବଳ ଅଜିତଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ଗଣାମାଧ୍ୟମ ସାମ୍ନାକୁ ଆସି ଶେଷରେ କହିଥିଲେ ଅଜିତ ନିଜ ଜିଦରେ ଅଟଳ। ତଥାପି ଦଳ ତରଫରୁ ତାଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି।
ସୂଚନା ଅନୁଯାୟୀ, ଆସ୍ଥା ଭୋଟ ପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଚାହୁଁଛନ୍ତି, ଅଜିତଙ୍କୁ ଦଳକୁ ଫେରାଇ ଆଣିବା ପାଇଁ। ଏହାଦ୍ୱାର ପାଓ୍ୱାର ପରିବାର ଏକ ହେବ। ଫଳରେ ‘ଗୋଟିଏ ଗୁଳିରେ ଦୁଇଟି ଶିକାର’। ତେଣୁ ଅଜିତଙ୍କୁ ଦଳରୁ ବାହାର କରୁ ନାହାନ୍ତି। ଅନ୍ୟପଟେ ଶରଦ ଅଜିତଙ୍କୁ ଦଳରୁ ବହିଷ୍କାର କରୁନାହାନ୍ତି କାରଣ ଯଦି ଦଳରୁ ଅଜିତଙ୍କୁ ବହିଷ୍କାର କରାଯାଏ ତେବେ ଏନସିପି ନିକଟରୁ ଏକ ବିଧାୟକ କମିଯିବ। ଯାହା ଏଭଳି ସମୟରେ କରିବାକୁ ଚାହୁଁନାହାନ୍ତି ଶରଦ।
ଯଦି ଅଜିତ ନିଷ୍ପତ୍ତିରେ ୟୁ ଟର୍ଣ୍ଣ ନ ନିଅନ୍ତି ତା’ହେଲେ ଆଗାମୀ ଦିନରେ ଦଳ ବିରୋଧୀ ନିୟମ ଅନୁଯାୟୀ ଅଜିତ ବହିଷ୍କୃତ ହେବେ। ଏଥିସହ ବିଧାୟକ ପଦବୀ ଅଯୋଗ୍ୟ ଘୋଷିତ ହେବ। ଏହାପରେ ନିର୍ବାଚନ ହେଲେ ଅଜିତଙ୍କୁ ହରାଇ ହେବ ବୋଲି ପାଓ୍ୱାର ଚିନ୍ତା କରିଥିବା ସୂଚନା ରହିଛି। କାରଣ ଅଜିତ ଯେଉଁ ବାରାମତି ଆସନରୁ ବିଧାୟକ ହୋଇଛନ୍ତି ସେହି ଆସନ ଶରଦ ପାଓ୍ୱାରଙ୍କର।
Comments are closed.