ଭଦ୍ରକ: ଘଣ୍ଟାକରେ ବଦଳିଲା ନିଷ୍ପତ୍ତି, ମେଡିକାଲ କଲେଜ ନୁହେଁ ସ୍ବାସ୍ଥ୍ୟକେନ୍ଦ୍ରର ହେବ ସଂପ୍ରସାରଣ
ଭୁବନେଶ୍ବର: ଏକ ଘଣ୍ଟା ମଧ୍ୟରେ ବଦଳିଗଲା ସରକାରଙ୍କ ମତ। ଆଜି ସନ୍ଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆସିଥିବା ଦୁଇଟି ପ୍ରେସ୍ ରିଲିଜରୁ ତାହା ସ୍ପଷ୍ଟ ହୋଇଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ଏକ ପ୍ରେସ୍ ବିଜ୍ଞପ୍ତି ଆସିଥିଲା। ଯେଉଁଥିରେ ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଦର୍ଶାଯାଇଥିଲା। ଏପରିକି ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଖବର ତାଙ୍କ ଟୁଇଟର ପେଜରେ ଶେୟାର କରିଛନ୍ତି।
ହେଲେ ଏହାର ଠିକ୍ ଏକ ଘଣ୍ଟା ପରେ ଅର୍ଥାତ୍ ଦ୍ବିତୀୟ ପ୍ରେସ୍ ରିଲିଜ୍ ଆସିଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ, ଭଦ୍ରକରେ ଥିବା ଏମ୍ସିଏଚ୍, ମଦରଚାଇଲଡ ହସ୍ପିଟାଲ୍କୁ ସଂପ୍ରସାରଣ କରାଯାଇ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ରେ ପରିଣତ କରାଯିବ ହସ୍ପିଟାଲ୍ର ଚାରି ପାଖେ ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ।
ଦ୍ବିତୀୟ ପ୍ରେସ୍ ରିଲିଜ୍:
ଭଦ୍ରକଠାରେ ଏକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କୁ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଛନ୍ତି। ଏହାକୁ ସହୃଦୟତାର ସହ ବିଚାର ଓ
ଅନୁଧ୍ୟାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ମତ ରଖିଛନ୍ତି। ଏଠାରେ ସୂଚନାେଯୋଗ୍ୟ ଭଦ୍ରକଠାରେ ଏମ୍ସିଏଚ୍, ମଦରଚାଇଲଡ ହସ୍ପିଟାଲ୍କୁ ସଂପ୍ରସାରଣ କରାଯାଇ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ରେ ପରିଣତ କରାଯିବ ହସ୍ପିଟାଲ୍ର ଚାରି ପାଖେ ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅବସରରେ ଜିଲ୍ଲାର ବିଧାୟକ ମାନେ ଭଦ୍ରକ ଜିଲ୍ଲାରେ ଚିକିତ୍ସାସେବା ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ତଥା ଖାଲି ଥିବା ଡାକ୍ତର ପଦବୀ ପୂରଣ ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଂଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଡିଏମ୍ଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡା. ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମ ପ୍ରେସ୍ ରିଲିଜ୍:
ସରକାର ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାରେ ବ୍ୟା ପକ ସୁଧାର ଆଣିଥିବାବେଳେ ୫‘ଟି’ ଯୋଜନାରେ ଏହା ଆହୁରି କ୍ରିୟାଶୀଳ ହୋଇ ପାରିଛି । ସରକାର ବର୍ତ୍ତମାନ ସୁଦ୍ଧା ୪ଟି ନୂତନ ମେଡିକାଲ କଲେଜ୍ ପ୍ରତିଷ୍ଠା କରିସାରିଥିବାବେଳେ ଆଜି ଭଦ୍ରକଠାରେ ପ୍ରସ୍ତାବିତ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯଇଛି।
ପ୍ରସ୍ତାବିତ ମେଡିକାଲ୍ କଲେଜ୍ ପାଇଁ ଗ୍ରାଉଣ୍ଡ ଫ୍ଲୋର ସହ ଛଅ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏଥି ପାଇଁ ୨୫ ଏକର ସ୍ଥାନ ଚିହ୍ନଟ ହୋଇଥିବାବେଳେ ଆସନ୍ତା ୨୦୨୦ ଫେବୃଆରୀ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଫଳରେ ଭଦ୍ରକ ଜିଲ୍ଲା ଓ ଆଖ ପାଖ ଅଞ୍ଚଳରେ ରୋଗୀ ଉପକୃତ ହୋଇ ପାରିବେ।
ଏହି ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଂଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଡିଏମ୍ଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡା. ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉ ପସ୍ଥିତ ଥିଲେ।
Comments are closed.