ଅଭିଯୁକ୍ତ ବିରୋଧରେ ଲୁଟ୍ ଅଭିଯୋଗ !

ସୋର: ଜେଲ ଭିତରେ ଥିବା ଅଭିଯୁକ୍ତ ନାଁରେ ଲୁଟ ଅଭିଯୋଗ ଆଣିଛି ପୋଲିସ। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞଚଳରେ ଘଟିଛି ଘଟଣା। ଏପରି ସ୍ଥିତିରେ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠିଛି।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଖଇରା ପୋଲିସ ସୋର ଉତ୍ତରେଶ୍ବର ଅଞ୍ଚଳର କୋଚାଲି ନାୟକଙ୍କୁ ଏକ ମାମଲାରେ ଜାନୁୟାରୀ ୧୯ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହାଇକୋର୍ଟରେ ଜାମିନ ମଞ୍ଜୁର ହେବା ପରେ ସେ ଅଗଷ୍ଟ ୨ ତାରିଖରେ ଜେଲରୁ ବାହାରିଥିଲେ।
ତେବେ ଆଶ୍ଚର୍ଯ୍ୟଜନକ ଭାବରେ ସେ ଜେଲରେ ଥିବା ସମୟରେ ଗତ ମେ’ ୨୩ ତାରିଖରେ ଜାତୀୟ ରାଜପଥରେ ଲୁଟ ମାମଲାରେ କୋଚାଲିଙ୍କ ନାଁ ଦର୍ଶାଇଛି ପୋଲିସ। କୋଚାଲିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିଶି କେଶନ ଦାସ ଓ ସୂର୍ଯ୍ୟକାନ୍ତ ଦାସ ଏହି ଘଟଣା ସାମ୍ନାକୁ ଆଣିଛନ୍ତି । ବିଚାରାଧୀନ କଏଦୀ ଭାବରେ ଜେଲରେ ଭିତରେ ଥାଇ ପୁଣି ରାଜପଥରେ କେମିତି ଲୁଟରେ ସଂପୃକ୍ତ ରହିଲେ, ସେନେଇ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି। କୋଚାଲିଙ୍କୁ ନ୍ୟାୟ ଦେବାକୁ ଦୁଇ ଆଇନଜୀବୀ ଦାବି କରିଛନ୍ତି । ଏପଟେ ପୋଲିସ କୋଚାଲିଙ୍କୁ ଫସାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।