ଶିବସେନାକୁ ଝଟକା, ବିଜେପିରେ ଯୋଗ ଦେଲେ ୪୦୦ ଶିବସୈନିକ
ମୁମ୍ବାଇ: ଶିବସେନାକୁ ଝଟକା। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ୭ଦିନ ନପୁରୁଣୁ ଦଳରେ ବିଦ୍ରୋହ। ଶିବସେନାର ୪୦୦ କର୍ମୀ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି। ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଧାରଭିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।ଶିବସେନା ଛାଡ଼ିଥିବା ଏହି ଶିବସୈନିକମାନେ କହିଛନ୍ତି ଯେ, ଶିବସେନା ସରକାର ଗଠନ ପାଇଁ ହିନ୍ଦୁ ବିରୋଧୀ ଏବଂ ଭ୍ରଷ୍ଟାଚାରରେ ଜଡ଼ିତ ଦଳ ସହ ହାତ ମିଳାଇଛି , ଯାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଯେଉଁମାନଙ୍କୁ ଶିବସେନା ବିରୋଧ କରିଆସିଥିଲା, ଏବେ ସେମାନଙ୍କ ସହ ମିଶି ସରକାର ଗଢ଼ିଥିବା ହେତୁ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବି ସେମାନେ କହିଛନ୍ତି।
Comments are closed.