Odisha Link
Bridging the Missing Links in Odisha

ଭଙ୍ଗାଗଲା ବିଧାୟକଙ୍କ କ୍ୱାର୍ଟର୍ସ

ଭୁବନେଶ୍ବର: ହଁ ନାଇଁର ଅନ୍ତ ଘଟାଇ ଆଜି ଅପରାହ୍ନରେ ଭଙ୍ଗାଗଲା ବିଧାନସଭାର ପୁରୁଣା ଏମଏଲଏ କ୍ୱାର୍ଟର୍ସ। ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ନିକଟରେ ଥିବା ଏମ୍ଏଲ୍ଏ କ୍ୱାର୍ଟର୍ସ ଉଚ୍ଛେଦ ପ୍ରକ୍ରିୟା। ବିଧାୟକଙ୍କ କ୍ୱାର୍ଟର୍ସରେ ବୁଲିଲା ବୁଲଡୋଜର । ଗୋଟିଏ କ୍ୱାର୍ଟର୍ସର କିଛି ଅଂଶ ଆଜି ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪୨ଟି କ୍ୱାର୍ଟର୍ସ ଚିହ୍ନଟ କରାଯାଇଛି। ତା’ମଧ୍ୟରୁ ୨୩ଟି ଖାଲି ଅଛି। ତେଣୁ ଖାଲିଥିବା ୨୩ଟି କ୍ୱାର୍ଟର୍ସ ପ୍ରଥମେ ଭଙ୍ଗାଯିବ।

୪୨ଟି ଏଫ୍ ଓ ଆର୍ ଟାଇପ୍ ପୁରୁଣା ଏମଏଲଏ କ୍ୱାର୍ଟର୍ସ ଭଙ୍ଗାଯିବାକୁ ଚାଲିଲା ପ୍ରସ୍ତୁତି। ଏସବୁ ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯାଇ ନୂଆ କୋଠା ତିଆରି ହେବ । ଖୁବ୍ ଶୀଘ୍ର ୧୫୦ ଜଣ ବିଧାୟକଙ୍କ ରହିବା ପାଇଁ ବହୁତଳ ବିଶିଷ୍ଟ କୋଠା ଘର ତିଆରି କରାଯିବ । ତେବେ ଏହି ଟାୱାର ଗୁଡ଼ିକରେ ୯ ଓ ୧୦ ମହଲା କୋଠା ତିଆରି ହେବ। ଏଥିରେ କୋଠରୀ ଗୁଡ଼ିକ ସାତ ବଖରା ବିଶିଷ୍ଟ ରହିବ। ଏହା ସହ ଜିମ୍, ସ୍ୱିମିଂପୁଲ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ।

ସେପଟେ କ୍ୱାର୍ଟର୍ସ ଭଙ୍ଗାକୁ ନେଇ ବାଚସ୍ପତି କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଥର ନିର୍ବାଚିତ ବିଧାୟକଙ୍କୁ ଡି-ଟାଇପ କଲୋନୀରେ ବର୍ତ୍ତମାନ ଥଇଥାନ କରାଯିବ । ଏମଏଲଏ କଲୋନୀରେ ଥିବା ୪୨ଟି ଘର ମଧ୍ୟରୁ ୨୨ଟି ଘର ଖାଲି ହୋଇ ସାରିଛି । ପ୍ରଥମେ ସେଗୁଡାକ ଭଙ୍ଗାଯିବ । ଆଉ ଖୁବଶୀଘ୍ର ବିଧାୟକମାନେ ଅନ୍ୟ ଘର ଗୁଡିକ ମଧ୍ୟ ଖାଲି କରିବେ ।

୨୦ ଏକର ଜାଗାରୁ ବର୍ତ୍ତମାନ ୧୨ ଏକର ଜାଗାରେ ୩ଟି ୧୦ ମହଲା ଓ ୫ଟି ୯ ମହଲା ବିଶିଷ୍ଟ କୋଠା ପାଇଁ ସମସ୍ତ ସୁବିଧା ସୁଯୋଗ ଥାଇ ଅତ୍ୟାଧୁନିକ ଆପାର୍ଟମେଂଟ ନିର୍ମାଣ ହେବ । ଦିଲ୍ଲୀରେ ସାଂସଦମାନେ ଯେଉଁ ସୁବିଧା ପାଉଛନ୍ତି, ଏଠାରେ ବିଧାୟକମାନଙ୍କୁ ମଧ୍ୟ ସମାନ ସୁବିଧା ଯୋଗାଇଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Comments are closed.