ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ଦିର ଚାରିପାଖର ଉନ୍ନତି ପାଇଁ ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ ହେବ। ଏଥିପାଇଁ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ଘୋଷଣା କରିଛନ୍ତି।
ମନ୍ଦିର ପାଖରେ ଥିବା ଥାନା ଓ ମନ୍ଦିର ଟ୍ରଷ୍ଟବୋର୍ଡ ଅଫିସ ସ୍ଥାନାନ୍ତର ହେବ। ତାଳେଶ୍ୱର ଛକରୁ ବଢେଇବାଙ୍କ ଛକ ଯାଏଁ ରାସ୍ତା ନିର୍ମାଣ ହେବ। ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ସହ ସୌନ୍ଦର୍ଯ୍ୟକରଣ ହେବ। ଏଥିସହ ମନ୍ଦିର ଚାରିପାଖେ ପରିକ୍ରମ ପଥ ନିର୍ମାଣ ହେବ। ତେବେ ମନ୍ଦିର ସାମ୍ନାରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ।
ବିନ୍ଦୁ ସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ। ଏବଂ ତା ସହିତ କେଦାରଗୌରୀ, ପାପ ନାଶିନୀ, ଗୋଦାବରୀ, କୋଟି ତୀର୍ଥ, ଗଙ୍ଗା ଯମୁନା ଏବଂ ଦେବୀ ପାଦହରା ଐତିହ୍ୟ ପୁସ୍କରିଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ। ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯିବ। ଏହି ଯୋଜନା ଦ୍ୱାରା ଜୀବୀକା ହରାଉଥିବା ଉଠା ଦୋକାନୀମାନଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ। ଏବଂ ଭେଣ୍ଡିଂ ଯୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ପକ୍କାଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ବିଏମସି ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ।
Comments are closed.