Odisha Link
Bridging the Missing Links in Odisha

ଉଦ୍ଧବ ସରକାରରେ ହେଲା ମନ୍ତ୍ରଣାଳୟ ବଣ୍ଟା, କାହାକୁ କେଉଁ ବିଭାଗ ମିଳିଲା ଜାଣନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ହେବାର ୨ମାସ ପରେ ଆଜି ବଣ୍ଟା ହୋଇଛି ମନ୍ତ୍ରିମଣ୍ଡଳ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ସପ୍ତାହ ପରେ ଆଜି ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରର ମନ୍ତ୍ରଣାଳୟ ବଣ୍ଟା ହୋଇଛି। ଉଦ୍ଧବଙ୍କ ଶିବସେନା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଛି। ସେହିଭଳି ଶରଦ ପାୱାରଙ୍କ ଏନ୍‌ସିପି ଅର୍ଥ ଏବଂ ହାଉସିଂ ବିଭାଗ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ଭାଗରେ ରାଜସ୍ୱ ବିଭାଗ ପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ପ୍ରତି ମନ୍ତ୍ରୀଙ୍କୁ ୬-୭ଟି ଲେଖାଏଁ ବିଭାଗ ଦିଆଯାଇଛି ।

ଶିବସେନାରୁ ମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଗୃହ,ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଜଳଯୋଗାଣ ଓ ସଂରକ୍ଷଣ, ପର୍ଯ୍ୟଟନ, ସରକାରୀ ଉଦ୍ୟୋଗ ଓ ସଂସଦୀୟ ବ୍ୟାପାର ବିଭାଗ ପାଇଛନ୍ତି। ଆଉ ଜଣେ ଶିବସେନା ମନ୍ତ୍ରୀ ସୁଭାଷ ଦେଶାଇ ଶିଳ୍ପ, ଉଚ୍ଚ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଉଦ୍ୟାନକୃଷି, ପରିବହନ, ମରାଠି ଭାଷା, ସଂସ୍କୃତି ଓ ବନ୍ଦର ବିଭାଗ ଦିଆଯାଇଛି।

ସେହିପରି ଏନସିପିର ଛଗନ ଭୁଜବଳଙ୍କୁ ଜଳସେଚନ, ଗ୍ରାମୀଣ ବିକାଶ, ସାମାଜିକ ନ୍ୟାୟ, ଅବକାରୀ, ଦକ୍ଷତାବିକାଶ, ଖାଦ୍ୟ ଓ ଔଷଧ ବିଭାଗ ପ୍ରଦାନ କରାଯାଇଛି। ଏନସିପିର ଆଉ ଜଣେ ମନ୍ତ୍ରୀ ଜୟନ୍ତ ପାଟିଲ ଅର୍ଥ ଓ ଯୋଜନା, ଗୃହନିର୍ମାଣ, ଜନସ୍ୱାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ସମବାୟ,ଶ୍ରମ ଓ ସଂଖ୍ୟାଲଘୁ ବିକାଶ ବିଭାଗ ପାଇଛନ୍ତି।

କଂଗ୍ରେସର ବାଲାସାହେବ ଥୋରାଟ ରାଜସ୍ୱ, ଶକ୍ତି, ଡାକ୍ତରୀ ଶିକ୍ଷା, ସ୍କୁଲ ଶିକ୍ଷା, ପଶୁପାଳନ ଓ ଦୁଗ୍ଧଚାଷ, ମତ୍ସ୍ୟଚାଷ ବିଭାଗ ପାଇଛନ୍ତି। ସେହିପରି କଂଗ୍ରେସର ନିତିନ ରାଉତ ପୂର୍ତ୍ତ, ମହିଳା ଓ ଶିଶୁ ବିକାଶ, ଆଦିବାସୀ ବ୍ୟାପାର, ବୟନ ଶିଳ୍ପ, ରିଲିଫ ଓ ଥଇଥାନ, ଓବିସି ଓ ସ୍ୱତନ୍ତ୍ର ପଛୁଆ ବର୍ଗ ବିକାଶ ବିଭାଗ ପାଇଛନ୍ତି।

ସୂଚନାଯୋଗ୍ୟ ଯେ, ଶିବସେନା ଏବଂ ବିଜେପି ଏକାଠି ନିର୍ବାଚନ ଲଢ଼ି ସରକାର ଗଠନ ପାଇଁ ଜନାଦେଶ ପାଇଥିଲେ। କିନ୍ତୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ମନ ବଳାଇବାରୁ ଏବଂ ଅଢ଼େଇ ଅଢ଼େଇ ବର୍ଷ ପାଇଁ ଏହି ପଦକୁ ବାଣ୍ଟିବା ପାଇଁ ଜିଦ୍‌ ଧରିବାରୁ ଏହା ସମ୍ଭବପର ହୋଇପାରିନଥିଲା। ଏଥିସହିତ ୩୦ ବର୍ଷର ପାର୍ଟନରଶିପ୍‌ ଭାଙ୍ଗିଯାଇଥିଲା। ପରେ କଂଗ୍ରେସ ଏବଂ ଏନ୍‌ସିପି ସହ ମିଶି ଏହା ମହାରାଷ୍ଟ୍ରରେ ସରକାର ଗଢ଼ିଛି। ଏହି ୨ ଦଳଙ୍କ ପ୍ରସ୍ତାବ କ୍ରମେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comments are closed.