କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍ ପାସ୍, ନନାଙ୍କ ସଂସ୍କୃତରେ କମ୍ପିଲା ସଂସଦ
ନୂଆଦିଲ୍ଲୀ: ଗତକାଲି ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ବିଲ୍ ପାରିତ ହୋଇଛି। ଏଥିସହିତ ପୁଣି ୬ମାସ ପରେ ସଂସଦରେ ଶୁଭିଲା ସଂସ୍କୃତ ଭାଷା। ପୁଣିଥରେ ସଂସ୍କୃତରେ ଅଜସ୍ବୀ ଭାଷଣ ଦେଇ କମ୍ପେଇଲେ ପୁରା ସଂସଦ। ଗତକାଲି ବାଲେଶ୍ବର ସାଂସଦ ତଥା ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ଭାଷଣରେ ପୁଣିଥରେ ଚକିତ କରିଛନ୍ତି। ସମସ୍ତ କଥାକୁ ସଂସ୍କୃତରେ ସମସ୍ତଙ୍କ ସାମ୍ନାରେ କହିଲେ ସାଂସଦ ପ୍ରତାପ ଷଡଙ୍ଗୀ। ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ ନେଇ ଆଲୋଚନା ହେଉଥିବା ବେଳେ ନିଜର ମତକୁ ସଂସ୍କୃତରେ କହିଥିଲେ ନନା।
ସଂସ୍କୃତର ସୃଷ୍ଟି ଠାରୁ ଆରମ୍ଭ କରି ସଂସ୍କୃତ ପ୍ରଚଳନ ଓ ଗ୍ରହଣୀୟତା କଥା ଗୃହରେ କହିଥିଲେ ନନା। ସଂସ୍କୃତ ରାଷ୍ଟ୍ରର ପ୍ରାଣବିନ୍ଦୁ। ସଂସ୍କୃତ ବିନା ଭାରତର କଳ୍ପନା କରିବା ଅସମ୍ଭବ ବୋଲି ସାଂସଦ ଷଡଙ୍ଗୀ ମତ ରଖିଥିଲେ। ତେବେ ସବୁ ଭାଷାର କେନ୍ଦ୍ରବିନ୍ଦୁ ସଂସ୍କୃତ ଅର୍ଥାତ ସବୁ ଭାଷାର ଜନନୀ ସଂସ୍କୃତ। ତେଣୁ ଏହା ସାରା ବିଶ୍ୱରେ ଗ୍ରହଣୀୟ ବୋଲି ଶ୍ରୀ ଷଡ଼ଙ୍ଗୀ ସଂସଦରେ କହିବା ପରେ ତାଳି ମାଡରେ କମ୍ପିଥିଲା ସଂସଦ।
ଏଥିସହିତ ଓଡିଆ ଭାଷା ସଂସ୍କୃତର ନିକଟର ଭାଷା ବୋଲି ଶ୍ରୀ ଷଡ଼ଙ୍ଗୀ ମତ ରଖିଥିଲେ। ସେପଟେ ସମସ୍ତେ ପାଣିନି ବ୍ୟାକରଣ ପଢିବାର ଆବଶ୍ୟକତା ରହିଛି ବୋଲି ସଂସଦରେ ଆହ୍ୱାନ ଦେଇଥିଲେ ସାଂସଦ ଷଡଙ୍ଗୀ। ତେବେ ନନାଙ୍କ ସଂସ୍କୃତ ଶ୍ଳୋକ କହିବା ସମୟରେ ପୂରା ସଂସଦ ସ୍ତବ୍ଧ ହୋଇ ତାଙ୍କୁ ଶୁଣୁଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ସଂସଦରେ ସଂସ୍କୃତ କହି ସାରା ଦେଶକୁ ଚକିତ କରି ସାରିଛନ୍ତି ନନା। ରାଷ୍ଟ୍ରପତିଙ୍କ ଅଭିଭାଷଣଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କକୁ ଆରମ୍ଭ କରିବାକୁ ଯାଇ ନନା ସଂସ୍କୃତରେ ଭାଷଣ ଆରମ୍ଭ କରିଥିଲେ।
Comments are closed.