ଘଟଣାର ତଦନ୍ତ କରୁଛି ୪ଟି ଟିମ୍: ଏସ୍ପି

ଖୋର୍ଦ୍ଧା: ଖୋର୍ଦ୍ଧାରେ ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ ହୋଇଛି। ଖୋର୍ଦ୍ଧା ଏସ୍ ପିଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ ହୋଇଛି। ଦୁଇଟି ଟିମରେ ୨ ଜଣ ଏସଡିପିଓ ଦାୟିତ୍ବରେ ରହିବେ। ଆଉ ଦୁଇଟି ଟିମରେ ୨ ଜଣ ଅତିରିକ୍ତ ଏସ୍ପି ଦାୟିତ୍ବରେ ରହିବେ। ଗୁଳିକାଣ୍ଡର ସମୟରେ ସିସିଟିଭିରେ କଏଦ ଭିଜୁଆଲ ଆଧାରରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅନ୍ୟପଟେ ଗୁଳିମାଡର ଶିକାର ହୋଇଥିବା ଔଷଧ ଦୋକାନୀ ସନ୍ତୋଷ ସାହୁଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଗୁରୁତର ଶିଶୁ ବିଶେଷଜ୍ଞ ମାନସ ରଞ୍ଜନ ଦାସଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ଖୋର୍ଦ୍ଧା ନୂଆ ମେଡିକାଲ ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା । ଦୁର୍ବୃତ୍ତଙ୍କ ଗୁଳିମାଡରେ ଶିଶୁ ରୋଗ ବିଶେଷଜ୍ଞ ମାନସ ରଞ୍ଜନ ଦାସ ଗୁରୁତର ହୋଇଛନ୍ତି। ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ବେଳେ ମେଡିସିନ୍ ଷ୍ଟୋର ମାଲିକ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ।
ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ମଧ୍ୟ ୨ରାଉଣ୍ଡ ଗୁଳି ଚଳାଇଥିଲେ। ଫାୟାରିଂ କରି ଦୁଇ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଡାକ୍ତର ଓ ମେଡ଼ିସିନ ଦୋକାନୀଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିସିନ ଦୋକାନୀଙ୍କର ଆଜି ମୃତ୍ୟୁ ହୋଇଯାଇଛି।