ଲକ୍ଷ୍ନୌକୁ ବ୍ୟାପିଲା ନାଗରିକତା ଆଇନ ବିରୋଧୀ ହିଂସା

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଦିଲ୍ଲୀର ଜାମିଆମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶର ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଗତ ରବିବାର ହିଂସାତ୍ମକ ଆନ୍ଦୋଳନ କରିଥିଲେ। ଏହି ସମୟରେ ପୁଲିସ ଛାତ୍ରଛାତ୍ରୀମାନଙ୍କୁ ଲାଠି ମାଡ଼ କରିଥିଲା, ଯେଉଁଥିରେ ୩୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ବର୍ତ୍ତମାନ ଏହି ଆନ୍ଦୋଳନ ଲକ୍ଷ୍ନୌ ଏବଂ ହାଇଦ୍ରାବାଦକୁ ବ୍ୟାପିବା ଆରମ୍ଭ ହୋଇଛି। ସୋମବାର ଲକ୍ଷ୍ନୌର ନଦୱା କଲେଜରେ ଛାତ୍ରଛାତ୍ରୀମାନେ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସେହିପରି ହାଇଦ୍ରାବାଦରେ ମୌଲାନା ଆଜାଦ ନ୍ୟାଶନାଲ ୟୁନିଭର୍ସିଟିରେ ମଧ୍ୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଠାକାର ଛାତ୍ରଛାତ୍ରୀମାନେ ଗତ ରବିବାର ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କୁ ପୁଲିସ ମାଡ଼ ଘଟଣାକୁ ବିରୋଧ କରିବା ସହିତ ସେଠାକାର ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଛନ୍ତି। ନଦୱା କଲେ କଲେଜରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ସମୟରେ ପଥର ମାଡ଼ କରିଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀମାନେ କଲେଜ ଫାଟକ ସମ୍ମୁଖରେ ରୁଣ୍ଡ ହୋଇଥିବାବେଳେ ସେମାନେ କିପରି ବାହାରକୁ ନ ଆସିବେ ସେଥିପାଇଁ ସେମାନଙ୍କୁ ଅଟକାଇବା ଲାଗି ପୁଲିସ ଉଦ୍ୟମ କରୁଛି।