Odisha Link
Bridging the Missing Links in Odisha

ଅଭିବୃଦ୍ଧି ହ୍ରାସ ହେବ ଜାଣିଥିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ବର୍ଷ ଆରମ୍ଭରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି କମିବ ବୋଲି ଜାଣି ନେଇଥିଲା। ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ବାରମ୍ବାର ସୁଧ ହାର ହ୍ରାସ କରିଥିଲା। ଏହା ସତ୍ତ୍ବେ ଅଭିବୃଦ୍ଧି‌ର ହ୍ରାସକୁ ରୋକାଯାଇପାରିନଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଭବିଷ୍ୟତରେ ଅଭିବୃଦ୍ଧି କମିବ ବୋଲି ଆମେ ଜାଣିପାରିଥିଲୁ। ସେଥିପାଇଁ ବହୁ ଆଗରୁ ଗତ ଫେବୃଆରି ଠାରୁ ଆମେ ସୁଧ ହାର କମାଇବା ଆରମ୍ଭ କରିଥିଲୁ। ଯଥେଷ୍ଟ ଆଗରୁ ଆମେ ଏହି ପଦକ୍ଷେପ ନେଇଥିଲୁ ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ‌ବେଳେ ସୁଧ ହାରକୁ ଅପରିବର୍ତ୍ତିତ ରଖିବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ସମୟ ଅନୁସାରେ ସମ୍ପୂର୍ଣ୍ଣ ଠିକ୍ ବୋଲି ସେ କହିଛନ୍ତି। ଦରକାର ପଡ଼ିଲେ ଆଗାମୀ ଦିନରେ ପୁଣି ସୁଧ କମ୍ କରାଯିବ ବୋଲି ସେ ସଙ୍କେତ ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବ୍ରୁଆରି ପରଠାରୁ କ୍ରମାଗତ ପାଞ୍ଚ ଥର ସୁଧ ହ୍ରାସ ଘୋଷଣା କରି ‌ରେପୋ ହାରକୁ ୧.୩୫% କମ୍ କରିଥିଲା। ସରକାରଙ୍କ ଇସାରାରେ ରିଜର୍ଭ ବ୍ୟାଙ୍କ ସୁଧ କମାଉଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଥିଲା। କାରଣ ପୂର୍ବରୁ ଗଭର୍ଣ୍ଣର ଭାବେ ଦାୟିତ୍ବ ତୁଲାଇଥିବା ରଘୁରାମ ରାଜନ ଓ ଉର୍ଜିତ ପଟେଲ୍‌ ସୁଧ କମ୍ କରିବା ସପକ୍ଷରେ ନଥିଲେ। ବିବାଦୀୟ ପରିସ୍ଥିତିରେ ଉର୍ଜିତ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବିମୁଦ୍ରୀକରଣ ସମୟରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ପ୍ରଶାସକ ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ସରକାରଙ୍କ ଅନୁଗତ ଭାବି ସରକାରଙ୍କ କହିବାନୁସାରେ ରିଜର୍ଭ ବ୍ୟାଙ୍କ ସୁଧ କମ୍ କରୁଛି ବୋଲି ଅନୁମାନ କରାଯାଉଥିଲା। ମାତ୍ର ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ରୂପେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରହିଥିଲା ବୋଲି ଏବେ ଜଣାପଡ଼ିଛି।

Comments are closed.