୭୯ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀ ଉଦ୍ଯାପିତ
ଭୁବନେଶ୍ବର: ସଂସଦ ଓ ବିଧାନସଭାର ବାଚସ୍ପତିମାନେ ଦଳବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରିବା ଓ ସଦସ୍ୟମାନଙ୍କୁ ଯୋଗ୍ୟ ଘୋଷଣା କରିବାବେଳେ ବାଚସ୍ପତିମାନେ ନିରେପକ୍ଷ ରହିବା ନିହାତି ଆବଶ୍ୟକ। ଏ ସଂପର୍କରେ ସମୟୋଚିତ ନିଷ୍ପତ୍ତି ନେବା ବାଞ୍ଛନୀୟ ଯାହା ନିର୍ବିବାଦୀୟ ରହିବା ଉଚିତ। ଯଦ୍ଦ୍ୱାରା ନ୍ୟାୟ ପାଳିକା ଏ ଦିଗରେ ପ୍ରଶ୍ନ ଉଠାଇ ପାରିବେ ନାହିଁ ବୋଲି ଆଜି ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଉତ୍ତରାଖଣ୍ଡ ବିଧାନନସଭା ଆନୁକୂଲ୍ୟରେ ଡେରାଡୁନ୍ଠାରେ ଆୟୋଜିତ ୭୯ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀରେ ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଧ୍ୟକ୍ଷତା କରିଥିଲେ।
ଏଥିରେ ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଓ ସଚିବମାନେ ଯୋଗଦେଇଥିଲେ। ଆଜିର ଆଲୋଚନା ବିଷୟବସ୍ତୁ ଥିଲା ‘ସମ୍ବିଧାନର ଦଶମ ଅନୁସୂଚୀ ଓ ବାଚସ୍ପତିଙ୍କ ଭୂମିକା’ ଏବଂ ଏହି ଶୀର୍ଷକ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହେବା ସହ ଉପସ୍ଥିତ ଥିବା ଅଂଶଗ୍ରହଣକାରୀ ଓ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ମାଧ୍ୟମରେ ମତବିନିମୟ ଘଟିଥିଲା। ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ସମ୍ମିଳନୀରେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ।
ସମ୍ମିଳନୀ ସମାପ୍ତ ହେବା ପରେ ପରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନେ ଉତ୍ତରାଖଣ୍ଡ ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରଓ୍ୱାଲଙ୍କ ଦ୍ୱାରା ଋଷିକେଶରେ ଆୟୋଜିତ ଆଟ୍ ହୋମ୍ ପାର୍ଟିରେ ଯୋଗଦେଇଥିଲେ। ଆସନ୍ତାକାଲି ସେମାନେ ମଶୌରୀ ଓ ହରିଦ୍ୱାର ଭ୍ରମଣରେ ଯିବେ। ଓଡ଼ିଶା ବିଧାନସଭାର ପ୍ରତିନିଧି ଦଳରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ନିର୍ଦ୍ଦେଶକ(ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ପ୍ରଶାନ୍ତ କୁମାର ଦାସ ଓ ଗବେଷଣା ଅଧିକାରୀ ରଣଧୀରର ରାୟ ସାମିଲ ଥିଲେ।
Comments are closed.