Odisha Link
Bridging the Missing Links in Odisha

ଟ୍ରିବ୍ୟୁନାଲ୍‌ ରାୟକୁ ଚ୍ୟାଲେଞ୍ଜ୍‌ କରିବ ଟାଟା

ନୂଆଦିଲ୍ଲୀ : ଜାତୀୟ କଂପାନି ଲ’ ଆପିଲିଟ୍‌ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଏଟି) ରାୟ ପରେ ଟାଟା ଗ୍ରୁପ୍‌କୁ ଲାଗିଛି ଏକ ବଡ ଝଟକା । ୨୦୧୬ ଅକ୍ଟୋବରରେ କାରଣ ନଦର୍ଶାଇ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ସେହି ପଦରେ ପୁନର୍ବାର ସାଇରସ୍‌ ମିସ୍ତ୍ରୀଙ୍କୁ ଅବସ୍ଥାପିତ କରିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦେଶ ଦେଇଛି। ଟାଟା ସନ୍ସର ଅଧ୍ୟକ୍ଷ ଭାବେ ୨୦୧୭ ଜାନୁଆରିରେ ନଟରାଜନ ଚନ୍ଦ୍ରଶେଖରନଙ୍କୁ ଦିଆଯାଇଥିବା ନିଯୁକ୍ତି ବେଆଇନ ଥିଲା ବୋଲି ଟ୍ରିବ୍ୟୁନାଲ୍ ସ୍ପଷ୍ଟ କରିଛନ୍ତି। ଏଥି ସହିତ ନିଜକୁ ଘରୋଇ କଂପାନିରେ ପରିଣତ କରିବା ଲାଗି ଟାଟାର ପଦକ୍ଷେପକୁ ମଧ୍ୟ ଟ୍ରିବ୍ୟୁନାଲ୍‌ ବେଆଇନ ଘୋଷଣା କରିଛନ୍ତି। ଟ୍ରିବ୍ୟୁନାଲ୍‌ର ଏହି ରାୟକୁ ଅଦାଲତରେ ଚ୍ୟାଲେଞ୍ଜ କରିବ ବୋଲି ଟାଟା ସନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଟାଟା ସନ୍ସର ଅଧ୍ୟକ୍ଷ ପଦରେ ସାଇରସ୍‌ଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଟ୍ରିବ୍ୟୁନାଲ୍ ଟାଟାକୁ ଚାରି ସପ୍ତାହ ସମୟ ଦେଇଛନ୍ତି। ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବା ପାଇଁ ଟାଟା ପାଖରେ ସୁଯୋଗ ରହିଛି। ଏନ୍‌ସିଏଲ୍‌ଏଟିର ଦୁଇ ଜଣିଆ ବିଚାରପତି ଖଣ୍ଡପୀଠ ଆଜି ଟାଟା-ସାଇରସ୍‌ ମାମଲାର ରାୟ ପ୍ରକାଶ କରିଥିଲେ। ଗତ ଜୁଲାଇ ମାସରେ ଏହି ମାମଲାର ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖାଯାଇଥିଲା। ଟାଟା ସନ୍ସର ବୋର୍ଡ ବୈଠକ ପୂର୍ବରୁ କୌଣସି କାରଣ ନଦର୍ଶାଇ ସାଇରସ୍‌ଙ୍କୁ ଅଧ୍ୟକ୍ଷ ପଦରୁ ବରଖାସ୍ତ କରାଯାଇଥିଲା। ଏହି ନିଷ୍ପତ୍ତି ପଛରେ ରହିଥିବା କାରଣ ସମ୍ପର୍କରେ ଟାଟା ପକ୍ଷରୁ ଯାହା କୁହାଯାଇଥିଲା ତାହାକୁ ସାଇରସ୍‌ ସହ‌ଜରେ ଗ୍ରହଣ କରିପାରିନଥିଲେ। ଟାଟା ସନ୍ସର ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ ଓ ମୋ ଉପରେ ଲଗାଯାଇଥିବା ଅଭିଯୋଗଗୁଡ଼ିକ‌ର କୌଣସି ସତ୍ୟତା ନାହିଁ ବୋଲି ସାଇରସ୍‌ ସେହି ସମୟରେ ଯେତେ‌ କହିଥିଲେ ମଧ୍ୟ ତାହାକୁ କେହି ଶୁଣିନଥିଲେ। ନିଜର ପ୍ରତିଷ୍ଠା ଫେରିପାଇବା ପାଇଁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଟାଟାର ନିଷ୍ପତ୍ତି ବିରୋଧରେ ସେ ଏନ୍‌ସିଏଲ୍‌ଟିରେ ଆବେଦନ କରିଥିଲେ। ରାୟ ଟାଟା ସପକ୍ଷରେ ଯାଇଥିଲା। ସାଇରସ୍‌ଙ୍କୁ ଅଧ୍ୟକ୍ଷ ପଦରୁ ବିଦା କରିବାର କ୍ଷମତା ଟାଟା ପାଖରେ ରହିଛି ବୋଲି ଏନ୍‌ସିଏଲ୍‌ଟି ରାୟ ଦେଇଥିଲେ। ସେହି ରାୟକୁ ସାଇରସ୍‌ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ୍‌ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ଆଇନଗତ ଲଢ଼େଇରେ ସାଇରସ୍‌ ବିଜୟୀ ହୋଇଛନ୍ତି। ୨୦୦୬ରେ ସାଇରସ୍‌ଙ୍କୁ ଟାଟା ସନ୍ସ ବୋର୍ଡରେ ସାମିଲ କରାଯାଇଥିଲା। ରତନ ଟାଟା ଅବସର ନେବା ପରେ ତାଙ୍କ ସ୍ଥାନରେ ସାଇରସ୍‌ଙ୍କୁ ୨୦୧୨ରେ କଂପାନିର ଅଧ୍ୟକ୍ଷ ଭା‌ବେ ନିଯୁକ୍ତି ଦିଆଯାଇଥିଲା।

Comments are closed.