ପିଆଜ ପରେ ଦୁଗ୍ଧ, ଡାଲି ଓ ଚିନି ଦର ବଢିବ : ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: ଦେଶ ସାରା ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚନ୍ତିତ ଥିଲା ବେଳେ ଏବେ ଦୁଗ୍ଧ, ଡାଲି ଏବଂ ଚିନି ଭଳି ସାମଗ୍ରୀର ଦାମ୍ ଅଧିକ ରହିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ତାଙ୍କ ଟିମ୍ ଏହି ଖାଦ୍ୟ ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପିଆଜ ଚିନ୍ତା ରିଜର୍ଭ ବ୍ୟାଙ୍କର ଅଭିବୃଦ୍ଧିଠୁ ବଳିଯାଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକରେ ପ୍ରମୁଖ ପ୍ରସଙ୍ଗ ଥିଲା ପିଆଜ ଦରବୃଦ୍ଧି । ରେପୋ ହାର ବାରମ୍ବାର ହ୍ରାସ କରୁଥିବା ରିଜର୍ଭ ବ୍ୟାଙ୍କ ପିଆଜ ଦରବୃଦ୍ଧି ଯୋଗୁ ସୁଧ ହାର ହ୍ରାସରେ ବ୍ରେକ୍ ଲଗାଇଛି। ଏହି ନିଷ୍ପତ୍ତି ପଛର କାରଣ ପିଆଜ ଥିଲା ବୋଲି ଜଣାପଡ଼ିଛି। ପିଆଜ ସଙ୍କଟ ଦୂର କରିବା ଲାଗି ବିଦେଶରୁ ପିଆଜ ଆମଦାନି କରାଯାଇଛି ମାତ୍ର ଏନ୍ଆର୍ସି ଓ ନାଗରିକତା ଆଇନକୁ ନେଇ ସାରା ଦେଶରେ ଲାଗି ରହିଥିବା ଜନ ଆନ୍ଦୋଳନ ଯୋଗୁଁ ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ପହଞ୍ଚିପାରୁନାହିଁ ତେଣୁ ଦର ହ୍ରାସ ପାଉ ନାହିଁ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ଏଥିସହ ଏତେ ଶୀଘ୍ର ଖାଦ୍ୟ ଦର ଶସ୍ତା ହେବ ନାହିଁ ବୋଲି ମଧ୍ୟ ବୈଠକରେ କୁହାଯାଇଛି। ଏହାର ପ୍ରଭାବରେ ଖାଦ୍ୟ ମୁଦ୍ରାସ୍ଫୀତି ଦର ବଢ଼ିପାରେ ବୋଲି ରିଜର୍ଭ ବ୍ୟାଙ୍କ କହିଛି।
ଏମ୍ପିସି ବୈଠକରେ ଦରବୃଦ୍ଧି ଏକ ପ୍ରମୁଖ ପ୍ରସଙ୍ଗ ଥିଲା ବୋଲି ଜଣାପଡ଼ିଛି। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ, ଅଦିନିଆ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଖରିଫ ଫସଲ ନଷ୍ଟ ହୋଇଯିବା ପରେ ପନିପରିବା ବିଶେଷ କରି ପିଆଜ ଦାମ୍ ବହୁତ ବଢ଼ିଯାଇଛି। ସେଥିପାଇଁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ହାର ବଢ଼ିଛି। ଏହା କହି ସେ ସୁଧ ହାର ହ୍ରାସରେ ବ୍ରେକ୍ ଲଗାଇବାକୁ ନିଜର ମତଦାନ କରିଥିଲେ। ତାଙ୍କ ଡେପୁଟି ବି ପି କାନୁନ୍ଗୋ ମଧ୍ୟ ସମାନ କଥା ଦୋହରାଇ ସୁଧକୁ ଅପରିବର୍ତ୍ତିତ ରଖିବା ଲାଗି ନିଜର ମତଦାନ କରିଥିଲେ। ଶକ୍ତିକାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏମ୍ପିସି ବୈଠକରେ ସମସ୍ତ ଛଅ ଜଣ ସଦସ୍ୟ ସୁଧ ଅପରିବର୍ତ୍ତିତ ରଖିବାକୁ ମତଦାନ କରିଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଚେତନ ଘାଟେ, ପମି ଦୁଆ, ରବିନ୍ଦ୍ର ଏଚ୍ ଢୋଲକିଆ ଓ ମାଇକେଲ୍ ଦେବବ୍ରତ ପାତ୍ର।
Comments are closed.