ନିଜ ମତ ବଦଳାଇଲେ ମମତା
କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ମତ ବଦଳାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତିସଂଘ ତତ୍ତ୍ୱାବଧାନରେ ଜନମତ ସଂଗ୍ରହ ପାଇଁ ମତ ଦେଇଥିଲେ। ହେଲେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଥିବା ମମତାଙ୍କୁ ବିଜେପି ତୀବ୍ର ସମାଲୋଚନା କରିଥିଲା।
ବିଜେପିର ସମାଲୋଚନା ପରେ ଆଜି କଥା ବଦଳାଇଛନ୍ତି ମମତା ବାନାର୍ଜୀ। ସେ କହିଛନ୍ତି, “ମୁଁ ଜାତିସଂଘ ତତ୍ତ୍ୱାବଧାନରେ ଜନମତ ସଂଗ୍ରହ କରିବାକୁ କେବେ କହି ନଥିଲି। ମୁଁ କେବଳ ଓପିନିଅନ ପୋଲ କଥା କହିଥିଲି। ମୁଁ ଗଣ ଭୋଟ କଥା କହିଥିଲି। ଏହି ଓପିନିଅନ ପୋଲ ମାନବାଧିକାର କମିଶନଙ୍କ ବିଶେଷଜ୍ଞମାନଙ୍କ ଦ୍ୱାରା କରିବାକୁ ମତ ଦେଇଥିଲି। ମୋ ଦେଶ ଓ ମୋ ଦେଶବାସୀଙ୍କ ଉପରେ ମୋର ଯଥେଷ୍ଟ ଭରସା ରହିଛି। ମୁଁ ସିଏଏ ଓ ଏନଆରସି ଉପରେ ଓପିନିଅନ ପୋଲ ଚାହୁଁଛି।”
ସୂଚନାଯୋଗ୍ୟ, ସିଏଏକୁ ନେଇ ପଶ୍ଚିମବଙ୍ଗରେ ନିଆଁ ଜଳିବାରେ ଲାଗିଛି। ଏହି ସଂପ୍ରଦାୟିକ ଆଇନକୁ ସବୁ ମହଲରେ ବିରୋଧ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମମତା ଗତକାଲି କହିଥିଲେ, “ସିଏଏକୁ ନେଇ ଭୋଟ ହେଇଯାଉ। ଆପଣଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ବୋଲି ଆପଣମାନେ ନିଜ ଇଚ୍ଛାରେ ସବୁ କରିବେ କି? ଆପଣ ସମସ୍ତଙ୍କୁ ଆତଙ୍କିତ କରୁଛନ୍ତି।”
Comments are closed.