Odisha Link
Bridging the Missing Links in Odisha

ଆଜି ସୂର୍ଯ୍ୟୋପରାଗ, ସୂର୍ଯ୍ୟଙ୍କୁ ଘୋଡାଇ ଦେବ ଚନ୍ଦ୍ର

ଭୁବନେଶ୍ବର: ଆଉ କିଛି କ୍ଷଣପରେ ସଂଘଟିତ ହେବ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ। ତେବେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯିବ ବୋଲି ସୂଚନା ରହିଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ, ଯାହା କି ଅତ୍ୟନ୍ତ ବିରଳ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଡ. ପଟ୍ଟନାୟକଙ୍କ କହିବା ଅନୁଯାୟୀ, ଏହି ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ‌ଏକ ସରଳରେଖାରେ ରହିଥାଏ ଏବଂ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ତେଣୁ ଲୋକେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ। ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ‌ଦେଖିବା ଉଚିତ ନୁହେଁ । ଏହି ଦୃଶ୍ୟକୁ ନିରାପଦ ଉପାୟରେ ଦେଖାଯାଇ ପାରିବ। ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନ୍ ହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ଏହା ଦେଖି ହେବ। ପ୍ଲାନେଟୋରିୟମ୍‌ରେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ସାମନ୍ତ ଚନ୍ଦ୍ରଶେଖର ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି ।

Comments are closed.