Odisha Link
Bridging the Missing Links in Odisha

ଫୁଲ ନୁହେଁ ଆପଣଙ୍କ ପସନ୍ଦର ବହିଟିଏ ଦିଅନ୍ତୁ: ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ହେମନ୍ତ ସୋରେନ। ଏହି ଖବର ପ୍ରସାର ହେବା ପରଠୁ ହେମନ୍ତ ସୋରେନଙ୍କ ପ୍ରଶଂସକମାନେ ଫୁଲତୋଡା ପଠାଇବାରେ ଲାଗିଛନ୍ତି। ହେଲେ ଏହାକୁ ନଜରରେ ରଖି ହେମନ୍ତ ସୋରେନ ତାଙ୍କ ପ୍ରଶଂସକଙ୍କୁ ଟୁଇଟର ମାଧ୍ୟମରେ କିଛି ବାର୍ତ୍ତା ଦେଇଛନ୍ତି।

ହେମନ୍ତ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ମୁଁ ଝାଡ଼ଖଣ୍ଡବାସୀଙ୍କ ଭଲ ପାଇବା ଓ ସମ୍ମାନ ପାଇ ବହୁତ ଖୁସି। ହେଲେ ଆପଣ ମତେ ଫୁଲତୋଡ଼ା ବଦଳରେ ବହି ଦିଅନ୍ତୁ। ଆପଣଙ୍କ ଫୁଲତୋଡ଼ାକୁ ମୁଁ ସମ୍ଭାଳି ରଖିପାରୁନଥିବାରୁ ମତେ ଆପଣଙ୍କ ପସନ୍ଦର ବହିଟିଏ ଦିଅନ୍ତୁ। ଆପଣ ଦେଉଥିବା ବହିରେ ନିଜ ନାମ ଲେଖି ଦିଅନ୍ତୁ, ଯାହାଫଳରେ ଆପଣଙ୍କ ବହିକୁ ନେଇ ମୁଁ ଲାଇବ୍ରେରୀଟିଏ କରିବି ଓ ସେଠାରେ ସାଇତି ରଖିବି। ଆପଣଙ୍କ ପ୍ରେମଭରା ଏହି ଉପହାର ଆମ ସମସ୍ତଙ୍କର ଜ୍ଞାନବୃଦ୍ଧିରେ ସହାୟକ ହେବ।

ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳକୁ ନେଇ ଗଠିତ ମେଣ୍ଟକୁ ବହୁମତ ମିଳିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୨୯ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଏହି ଶପଥ ଗ୍ରହଣ ଉତ୍ସବରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହେବେ।

ରାଞ୍ଚିର ମରାହାବାଦି ପଡିଆରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ । ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.