ନିର୍ଭୟା ମାମଲା: ଶେଷ ଇଚ୍ଛା କହିଲେନି ୪ ଦୋଷୀ
ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ପୱନ କୁମାର ଗୁପ୍ତା, ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆସନ୍ତା ଫେବୃୟାରୀ ୧ ତାରିଖରେ ଫାଶୀ ଦିଆଯିବ। ଏଥିପାଇଁ ତିହାର ଜେଲରେ ଚାଲିଛି ପ୍ରସ୍ତୁତି। ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ ପଚାରିଥିଲେ ମାତ୍ର ଦୋଷୀମାନେ କୌଣସି ଶେଷ ଇଚ୍ଛା ପ୍ରକାଶ କରିନାହାନ୍ତି। ଦୋଷୀମାନଙ୍କର କୌଣସି ଶେଷ ଇଚ୍ଛା ନାହିଁ ବୋଲି ସେମାନେ ଜେଲ୍ ପ୍ରଶାସନକୁ ଜଣାଇଛନ୍ତି। ଦୋଷୀମାନଙ୍କୁ ଗତ କାଲି ସେମାନଙ୍କ ଶେଷ ଇଚ୍ଛା ପଚରାଯାଇ ନୋଟିସ ପଠାଯାଇଥିଲା। କିନ୍ତୁ ସେମାନେ ନୀରବ ରହିବା ସହ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ।
ସୂଚନା ଅନୁସାରେ, ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଜେଲ ପ୍ରଶାସନ ପକ୍ଷରୁ ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥିଲା। ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି ? ଯଦି ସେମାନଙ୍କ ନାମରେ କୌଣସି ସମ୍ପତ୍ତି ରହିଛି, ତେବେ ଫାଶୀ ପୂର୍ବରୁ ସେଗୁଡ଼ିକୁ ସେମାନେ କାହା ନାମରେ କରିବାକୁ ଚାହୁଁଛନ୍ତି ? ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଇଚ୍ଛା କରୁଛନ୍ତି, ତେବେ ଜେଲ ପ୍ରଶାସନ ଏଥିରେ ସେମାନଙ୍କ ସହାୟତା କରିପାରିବ।
ଅନ୍ୟପଟେ ଫାଶୀ ପୂର୍ବରୁ ସପ୍ତାହକୁ ୨ ଥର ଦୋଷୀମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଭେଟିବାକୁ ଅନୁମତି ଦିଆଯାଏ। ତେବେ ପରିବାର ଲୋକେ ଫାଶୀ ପୂର୍ବରୁ ଭେଟିବାକୁ ଚାହୁଁ ନ ଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।
Comments are closed.