୭ ଓଜିଡବ୍ଲୁ ଲଶ୍କର ସହଯୋଗୀ ଗିରଫ
ଜାମ୍ମୁ: ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ଼ ସଫଳତା ଆଜି ବାନ୍ଦିପୋରାର ହାଜିନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ସହଯୋଗୀ ଭାବେ କାମ କରୁଥିବା ୭ ଜଣ ଓଭର ଗ୍ରାଉଣ୍ଡ ୱାର୍କର(ଓଜିଡବ୍ଲୁ)ଙ୍କୁ ଗିରଫ କରିଛି ଭାରତୀୟ ସେନା। ଗିରଫ ସମୟରେ ସେମାନଙ୍କଠାରୁ ୨ଟି ବନ୍ଧୁକ, ୬ଟି ଗ୍ରେନେଡ, ୨ଟି ୱାୟାରଲେସ୍ ସେଟ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଓଜିଡବ୍ଲ୍ୟୁ ମାନେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବା ସହ ଗୁପ୍ତରେ ଆତଙ୍କବାଦୀଙ୍କ ପାଇଁ କାମ କରିଥାନ୍ତି। କୌଣସି ଆତଙ୍କୀ ଘଟଣାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଓଜିଡବ୍ଲ୍ୟୁମାନେ ଆତଙ୍କବାଦୀମାନଙ୍କ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତି। ସେମାନେ ସୁରକ୍ଷାକର୍ମୀମାନଙ୍କ ସମ୍ପର୍କରେ ଆତଙ୍କବାଦୀଙ୍କୁ ସୂଚନା ଦେଇଥାନ୍ତି। ଏଥି ସହ ସେମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ଟଙ୍କା ଏବଂ ସୁରକ୍ଷିତ ଠିକଣାର ବନ୍ଦୋବସ୍ତ କରିଥାନ୍ତି। ଆତଙ୍କବାଦୀଙ୍କ ପରି ଓଜିଡବ୍ଲ୍ୟୁଙ୍କୁ ଧରିବା କଷ୍ଟକର। ସୂଚନାମୁତାବକ, ଘାଟିରେ ବର୍ତ୍ତମାନ ୩୦୦ ଆତଙ୍କବାଦୀ ସକ୍ରିୟ ରହିଥିବା ବେଳେ ଓଜିଡବ୍ଲ୍ୟୁଙ୍କ ସଂଖ୍ୟା ୬ ହଜାରରୁ ଅଧିକ। ଏହି ଓଜିଡବ୍ଲ୍ୟୁମାନେ ଆତଙ୍କବାଦୀଙ୍କୁ ସହାୟତା କରିବା ସହିତ ଘାଟିରେ ହିଂସା ଏବଂ ପଥରମାଡ଼କୁ ପ୍ରୋତ୍ସାହିତ କରିଥାନ୍ତି। ଗିରଫ ପରେ ସେମାନଙ୍କୁ ପଚରାଉଚରା ଜାରି ରହିଛି।
Comments are closed.