Odisha Link
Bridging the Missing Links in Odisha

ରାୟଗଡ଼ କୋର୍ଟରେ ପହଞ୍ଚିଲେ ଅନୁପ ସାଏ ଓ ଡ୍ରାଇଭର

ରାୟଗଡ଼: ୨୦୧୬ ମାଆ-ଝିଅ ହତ୍ୟାକାଣ୍ଡ ମାମଲାରେ ଉଭୟଙ୍କ ରିମାଣ୍ଡ ଆବେଦନର ଶୁଣାଣୀ କରିବେ କୋର୍ଟ। ନାର୍କୋ ଟେଷ୍ଟ ନେଇ ହୋଇଥିବା ଆବେଦନ ଉପରେ ବି ଶୁଣାଣି ହେବ। ଉଭୟଙ୍କୁ ରିମାଣ୍ଡରେ ନେଇ ସାମନା ସାମନି ଜେରା କରିବ ପୁଲିସ। ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ଓଗାଳିବ। ହତ୍ୟାକାଣ୍ଡରେ ତୃତୀୟ ବ୍ୟକ୍ତିର ସଂପୃକ୍ତି ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଏନେଇ ଅନୁପ ଓ ଡ୍ରାଇଭରଙ୍କୁ ପଚରାଉଚରା କରିବ ପୁଲିସ। ସେପଟେ ମାଆ–ଝିଅ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋର ମାଲିକାନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ। ପୋଲିସର ସୂଚନା ଅନୁଯାୟୀ ଏହି ବୋଲେରୋ ଗାଡିକୁ ୨୦୧୫ରେ ସୁନୀଲ ସାଇଦେଓଙ୍କୁ ବିକ୍ରି କରିଦେଇଥିଲେ ଅନୁପ ସାଏ।
ଆଉ ତାପରେ ୨୦୧୭ରେ ପୁଣି ସୁନୀଲ ସେହି ଗାଡିକୁ ଆଉଜଣଙ୍କୁ ବିକ୍ରି କରିଥିଲେ। ହେଲେ ବର୍ତମାନ ଗାଡିଟି କାହା ମାଲିକାନାରେ ରହିଛି ତାହା ସ୍ପଷ୍ଟ ହୋଇପାରିନି। ଏନେଇ ଅଧିକ ତଦନ୍ତ କରୁଛି ଛତିଶଗଡ ପୋଲିସ୍। ଅନ୍ୟପଟେ ଗାଡିକୁ ବିକ୍ରି କରିବା ପରେ ୨୦୧୬ରେ ଅନୁପ ସାଏ କିଭଳି କଳ୍ପନା ଦାସ ଓ ବବଲିର ହତ୍ୟାକାଣ୍ଡରେ ବ୍ୟବହାର କଲେ ତାକୁ ନେଇ ପ୍ରଶ୍ନ ଉଠିଛି।
ସେପଟେ ଅନୁପଙ୍କ ବଡ ଭାଇ ପ୍ରମୋଦ କୁମାର ସାଏ ତାଙ୍କ ଭାଇ ଅନୁପ ସାଏଙ୍କ ନାଁରେ ମିଥ୍ୟା ଓ ଅତିରଞ୍ଜିତ ଖବର ପ୍ରସାରିତ ହେଉଥିବା ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ତାଙ୍କର ପୁରା ପରିବାର ମାନସିକ ଯନ୍ତ୍ରଣା ଓ ଭୟରେ ଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ବ୍ରଜରାଜନଗର ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି ପ୍ରମୋଦ। ଏଭଳି ମିଥ୍ୟା ଖବର ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରେସ କାଉଁସିଲ ଅଫ ଇଣ୍ଡିଆ, ଓଏଚଆରସି, ଝାରସୁଗୁଡା ଜିଲ୍ଳାପାଳ ଓ ଝାରସୁଗୁଡା ଏସପିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ପ୍ରମୋଦ।

Comments are closed.