Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ ଓ ଦକ୍ଷତା ବିକାଶ ଆଦିକୁ ଗୁରୁତ୍ୱ ଦିଆଯାଇଛି: ଅରୁଣ ସାହୁ

ଭୁବନେଶ୍ୱର: ନୂତନ ସହସ୍ରାବ୍ଦୀରେ ଜ୍ଞାନର ପରିସୀମା ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଏହି ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଗବେଷଣା ଓ ଦକ୍ଷତା ବିକାଶ ଆଦିକୁ ଗୁରୁତ୍ୱ ଦିଆଯାଇରାଜ୍ୟ ସରକାର ଅନେକଗୁଡ଼ିଏ ପରିବର୍ତ୍ତନକାରୀ ସଂସ୍କାର ଆଣିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ହାୟର ଏଜୁକେସନ୍‌ ପ୍ରୋଗ୍ରାମ ଫର ଏକ୍ସିଲେନ୍ସି ଆଣ୍ଡ ଇକ୍ୱିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଦିଗ୍‌ଦର୍ଶନ କର୍ମଶାଳାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଡ. ସାହୁ କହିଲେ ଶିକ୍ଷାରେ ବିନିଯୋଗ ହେଉଥିବା ଅର୍ଥ ହେଉଛି ମାନବ ପାଇଁ ଶ୍ରେଷ୍ଠ ପୁଞ୍ଜିଲଗାଣ। ତେଣୁ ବିଶ୍ୱବ୍ୟାଙ୍କ ସହାୟତାରେ ପରିଚାଳିତ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରି ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣି ଛାତ୍ରଛାତ୍ରୀଙ୍କୁ ଏହାର ସୁଫଳ ଯୋଗାଇଦେବାକୁ ପଡ଼ିବ। ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା ରହିଛି। ଶିକ୍ଷାନୁଷ୍ଠାନରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ଶିକ୍ଷାଦାନ ସହିତ ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ କରି ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମନ୍ତ୍ରୀ ଡ. ସାହୁ କର୍ମଶାଳାରେ ଯୋଗଦେଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଆର୍ଥିକ ପରିଚାଳନାରେ ଉନ୍ନତି ଅଣାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୮ରୁ ୨୦୨୨ ଆର୍ଥିକ ବର୍ଷ ମଧ୍ୟରେ ଏ ଦିଗରେ ସମୁଦାୟ ୧୭୦ ମିଲିୟନ୍‌ ଆମେରିକୀୟ ଡଲାର ବିନିଯୋଗ କରାଯିବ।

ଓଡ଼ିଶାର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୧୩୭ଟି ମହାବିଦ୍ୟାଳୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭୦ଟି ମହାବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬୭ଟି ମହାବିଦ୍ୟାଳୟ ଓ ୧୧ଟି ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ଦୁଇଦିନିଆ ଦିଗ୍‌ଦର୍ଶନ କର୍ମଶାଳା ଫେବୃଆରୀ ୧୯ ଓ ୨୦ ତାରିଖରେ ଆୟୋଜନ କରାଯାଇଛି। ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ଶିକ୍ଷାନୁଷ୍ଠାନ ଆର୍ଥିକ ପରିଚାଳନାରେ ଉନ୍ନତି ଓ ସ୍ୱଚ୍ଛତା ଆଣିବା ସହ ଅନ୍‌ଲାଇନ୍‌ କ୍ୟାସ୍‌ବୁକ୍‌ ଲେଖିବା ପାଇଁ ଏକ ସ୍ୱତନ୍ତ୍ର ସଫଫେୱୟାରର ପ୍ରଚଳନ, ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା, ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ହାସଲ, ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ ସୁଯୋଗ ବୃଦ୍ଧି ଆଦି ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ହୋଇଥିଲା। ଆଜିର କର୍ମଶାଳାକୁ ଓଡ଼ିଶା ହାୟର ଏଜୁକେସନ୍‌ ପ୍ରୋଗ୍ରାମ ଫର ଏକ୍ସିଲେନ୍ସି ଆଣ୍ଡ ଇକ୍ୱିଟି କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍‌ ବି. ପରିଚାଳନା କରିଥିଲେ।

Comments are closed.