Odisha Link
Bridging the Missing Links in Odisha

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବୌଦ୍ଧିକ ସଂପଦ ଅଧିକାର ଉପରେ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବୌଦ୍ଧିକ ସଂପଦ ଅଧିକାର କ୍ଷେତ୍ରରେ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଭବିଷ୍ୟତରେ ରାଜ୍ୟ ବଜେଟ୍‌ରେ ଏଥି ପାଇଁ ଅର୍ଥ ବରାଦ କରିବାକୁ ମତ ପ୍ରକାଶ ପାଇଛି । ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ଏକ ତାଲିମ କାର୍ଯ୍ୟକ୍ରମରେ ଆଲୋଚକମାନେ ବୌଦ୍ଧିକ ସଂପତ୍ତି ଅଧିକାର ବାବଦରେ ବିଶଦ ଆଲୋଚନା କରିଛନ୍ତି ।

ବିଭାଗ ଅଧୀନସ୍ଥ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ପକ୍ଷରୁ ସ୍ଥାନୀୟ ଓଡ଼ିଶା ବିଜ୍ଞାନ ଏକାଡେମୀରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ପେଟେଣ୍ଟ, ଟ୍ରେଡ୍‌ ମାର୍କ, କପି ରାଇଟ୍‌ ଇତ୍ୟାଦିର ପଂଜୀକରଣ ବାବଦରେ ଆଲୋଚନା ହୋଇଥିଲା ।

ବିଭାଗ ପକ୍ଷରୁ ୨୦୧୫ ମସିହାରୁ ପେଟେଣ୍ଟ ତଥ୍ୟ କେନ୍ଦ୍ର କାର୍ଯ୍ୟ କରୁଛି ଓ ଏଯାବତ୍‌ ଏହି କେନ୍ଦ୍ର ୨୪ଟି ପ୍ରସଙ୍ଗ ଉପରେ ପେଟେଣ୍ଟ ଅଧିକାର ପ୍ରାପ୍ତି ପାଇଁ ସୁପାରିଶ କରିଛି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପଛରେ ପେଟେଣ୍ଟ ତଥ୍ୟ କେନ୍ଦ୍ରର ଅବଦାନ ରହିଛି ।

ପେଟେଣ୍ଟ ଉପସ୍ଥାପନ, ସୁପାରିଶ ଏବଂ ସେ ସଂପର୍କିତ କାର୍ଯ୍ୟକ୍ରମକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ୭ଟି ବିଶ୍ୱବିଦ୍ୟାଳୟରେ ଆଇ ପିଆର୍‌ ପ୍ରକୋଷ୍ଠ ଖୋଲାଯାଇଛି । ୨୦୧୯-୨୦ ବର୍ଷରେ ଆଉ ଚାରୋଟି ବିଶ୍ୱବିଦ୍ୟାଳୟ ତଥା ବୈଷୟିକ ପ୍ରତିଷ୍ଠାନରେ ପ୍ରକୋଷ୍ଠ ଖୋଲାଯିବ ।

ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନରେ ଖୋଲିଥିବା ପ୍ରକୋଷ୍ଠର ଭାର ପ୍ରାପ୍ତ ଅଧିକାରୀ, ରିସର୍ଚ୍ଚ ସ୍କଲାର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ଶାସନ ସଚିବ ଦେବବ୍ରତ ଜେନା ପ୍ରଥମ ଅଧିବେଶନରେ ପୈରୋହିତ୍ୟ କରିଥିବାବେଳେ ପଦାଧିକାରୀ ଦିଲ୍ଲୀପ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ ଭଗତ ମହାନ୍ତି, ପ୍ରକଳ୍ପ ବୈଜ୍ଞାନିକ ସୁଶାନ୍ତ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଲିପିକା ସାହୁ (ବେଙ୍ଗାଲୁରୁ) ଓ ଟି. ପବନ କୁମାର (ଭୁବନେଶ୍ୱର) ପ୍ରଶିକ୍ଷକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।

Comments are closed.