Odisha Link
Bridging the Missing Links in Odisha

ସିଏଏ ଓ ଏନଆରସିକୁ ନେଇ ମୋଦି ସରକାରଙ୍କୁ ଶିବସେନାର ସମର୍ଥନ, ଉଦ୍ଧବ କହିଲେ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସାକ୍ଷାତକାର ସମୟରେ ଉଦ୍ଧବଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ମୋଦିଙ୍କ ଲୋକକଲ୍ୟାଣ ମାର୍ଗ ସ୍ଥିତି ବାସଭବନରେ ସାକ୍ଷାତକାର୍ଯ୍ୟ ହୋଇଥିଲା। ଆଲୋଚନା ବେଳେ ଉଦ୍ଧବ ସିଏଏ ଓ ଏନପିଆର ପ୍ରସଙ୍ଗ ଉଠାଇଥିଲେ।

କଂଗ୍ରେସ ଓ ଏନସିପି ଆରମ୍ଭରୁ ହିଁ ସିଏଏ ଓ ଏନପିଆରକୁ ବିରୋଧ କରୁଛନ୍ତି। ଏଥିସହ ସେମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ସିଏଏ ଓ ଏନପିଆର ବିରୋଧରେ ସଂକଳ୍ପ ପାରିତ କରିବାକୁ ଚାପ ପକାଉଛନ୍ତି। ଏସବୁ ଭିତରେ ଆଜି ଉଦ୍ଧବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି।

ଆଲୋଚନା ପରେ ଉଦ୍ଧବ କହିଛନ୍ତି, “ଆଜି ମହାରାଷ୍ଟ୍ରର ସାମଗ୍ରୀକ ବିକାଶ ପ୍ରସଙ୍ଗ ଉପରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସକାରାତ୍ମକ ଆଲୋଚନା କରିଛି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଏନପିଆର, ଏନଆରସି ଓ ସିଏଏ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛି।

କେହି ବି ସିଏଏକୁ ନେଇ ଭୟଭୀତ ହେବା ଉଚିତ ନୁହେଁ। ଏହାଦ୍ୱାରା ସଂଖ୍ୟାଲଘୁମାନେ ଲାଭବାନ ହେବେ। ଏନପିଆର କାହାକୁ ବି ଦେଶରୁ ବାହାରକୁ ଫୋପାଡ଼ି ଦେବନାହିଁ। ସାରା ଦେଶରେ ଏବେ ଏନଆରସି ଲାଗୁ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କୌଣସି ନିୟମ ଦ୍ୱାରା ନାଗରିକମାନେ ବିପଦରେ ପଡ଼ିବାର ଆଶଙ୍କା ସୃଷ୍ଟି ହୁଏ, ତା’ହେଲେ ଆମେ ଏହାକୁ ଜୋରଦାର ବିରୋଧ କରିବୁ।’’

Comments are closed.