Odisha Link
Bridging the Missing Links in Odisha

ଋଷଭ ନନ୍ଦଙ୍କୁ ହଟାଇଲେ ଅପରାଜିତା

ଭୁବନେଶ୍ବର: ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦଙ୍କୁ ନିଜ ପ୍ରତିନିଧି ପଦରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହଟାଇ ଦେଇଛନ୍ତି। ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ତଥା ଋଷଭ ନନ୍ଦଙ୍କୁ ବେଗୁନିଆ ବିଧାନସଭା ମଣ୍ଡଳୀରେ ନିଜର ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିଲେ ଅପରାଜିତା। ହେଲେ ନିଯୁକ୍ତି ଦେବାର ୫ମାସ ନପୁରୁଣୁ ତାଙ୍କୁ ହଟାଇବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅବଶ୍ୟ କେଉଁ କାରଣରୁ ଶ୍ରୀ ନନ୍ଦଙ୍କୁ ନିଜ ପ୍ରତିନିଧି ପଦରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ହଟାଇଛନ୍ତି ତାହା ଜଣାପଡ଼ିନି।

୨୦୧୯ ମାର୍ଚ୍ଚ ମାସରେ ବିଜେପିରେ ସାମିଲ ହୋଇ ବେଗୁନିଆ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ଲଢ଼ି ପରାଜିତ ହୋଇଥିବା ରଷଭ ନନ୍ଦଙ୍କୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜର ପ୍ରତିନିଧି ଭାବେ ଗତ ଜୁଲାଇ ମାସରେ ନିଯୁକ୍ତି ଦେଇଥିଲେ। କିନ୍ତୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଚଳିତମାସ ୧୫ତାରିଖରେ ଖୋର୍ଦ୍ଧା ଜିଲ୍ଳାପାଳଙ୍କୁ ଚିଠି ଲେଖି ଋଷଭ ନନ୍ଦଙ୍କ ବଦଳରେ ଅନୁସୂୟା ଦାଶଚୌଧୁରୀଙ୍କୁ ବେଗୁନିଆ ବିଧାନସଭା ମଣ୍ଡଳୀରେ ତାଙ୍କର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି ବୋଲି ଜଣାଇଥିଲେ। ବେଗୁନିଆ ବିଧାନସଭା ସଂକ୍ରାନ୍ତ ସମସ୍ତ ଚିଠିପତ୍ର ଏଣିକି ଅନୁସୂୟାଙ୍କ ନିକଟକୁ ପଠାଇବା ସହ ତାଙ୍କ ଅଫିସକୁ ମଧ୍ୟ ଅବଗତ କରାଇବାକୁ ଚିଠିରେ କୁହାଯାଇଛି।

Comments are closed.