Odisha Link
Bridging the Missing Links in Odisha

ଉପାଦେୟ ପୁସ୍ତକ ‘ଡିଭାଇନ୍‌ ଫେବ୍ରିକ୍’ ଲୋକର୍ପଣ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ‘ଡିଭାଇନ୍‌ ଫେବ୍ରିକ୍’ ପୁସ୍ତକର ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ଲୋକାର୍ପଣ ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ୍‌ କହିଛନ୍ତି ଯେ, ଆମର କୁଶଳୀ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଟସର ବସ୍ତ୍ର ବିଶ୍ୱରେ ସ୍ୱତନ୍ତ୍ର ଓ ଅନନ୍ୟ ।

ପାରମ୍ପରିକ ଜନଜାତିମାନଙ୍କ ଦ୍ୱାରା ଚାଷ ଓ ରକ୍ଷଣାବେକ୍ଷଣ କରାଯାଉଥିବା ଟସର କେବଳ ଧାର୍ମିକ କାର୍ଯ୍ୟ କିମ୍ବା ପର୍ବ ପର୍ବାଣୀ ପାଇଁ ବ୍ୟବହାର ମଧ୍ୟରେ ସୀମିତ ହୋଇ ରହିନାହିଁ । ଓଡ଼ିଶା ଟସର ଆଜି ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ । ଟସରକୁ ମଠା ବସ୍ତ୍ର ଭାବେ ଅଭିହିତ କରାଯାଏ । ଟସରକୁ ଅମ୍ଳାନ ବସ୍ତ୍ର ମଧ୍ୟ କୁହାଯାଏ । ଟସର ଏକ ପବିତ୍ର ବସ୍ତ୍ର ଭାବେ ସ୍ୱୀକୃତ । ଟସର ଚାଷ ରାଜ୍ୟର ହଜାର ହଜାର ଲୋକଙ୍କୁ ଜୀବିକା ପ୍ରଦାନ କରୁଛି । ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ଜନଜାତି ସମ୍ପ୍ରଦାୟର । ଟସର କୋଷା ଉତ୍ପାଦନରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ, ଗୁଣାତ୍ମକମାନ ସଞ୍ଚଳିତ ବସ୍ତ୍ର ଡ଼ିଜାଇନକୁ ଲକ୍ଷ୍ୟ କଲେ ଓଡ଼ିଶା ଦେଶର ଶ୍ରେଷ୍ଠ ଟସର ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ, ପରେ ଅତିରିକ୍ତ ସଚିବ ଥିବା ସମୟରେ ପୁସ୍ତକର ଲେଖକ ରାଜା ପରିଜା ଟସର ଚାଷ କ୍ଷେତ୍ର ସଂସ୍ପର୍ଶରେ ଆସିବାର ସୁଯୋଗ ଲାଭ କରିଥିଲେ । ଟସର କୋଷା ପାଳନ, ସୂତା ପ୍ରସ୍ତୁତି ଓ ବସ୍ତ୍ର ପ୍ରସ୍ତୁତି ସମସ୍ତ ପର୍ଯ୍ୟାୟ ଉପରେ ଏହି ପୁସ୍ତକରେ ସମସ୍ତ ତଥ୍ୟ ରହିଛି । ଏହି ପର୍ଯ୍ୟାୟଗୁଡ଼ିକର ପୁରା ଜୀବନ ଚକ୍ରକୁ ନିରୀକ୍ଷଣ କରି ୫ ବର୍ଷ ଧରି ଏହି ପୁସ୍ତକ ରଚନା କରିଛନ୍ତି। ସଂପ୍ରତି ଶ୍ରୀ ପରିଜା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।

ଏହି ପୁସ୍ତକଟି ଗବେଷକ, ଫେସନ ଡିଜାଇନର, ଛାତ୍ରଛାତ୍ରୀ, କଳାଶିଳ୍ପୀ, ପର୍ଯ୍ୟଟକ ଓ ସାଧାରଣ ପାଠକଙ୍କ ନିମନ୍ତେ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକ ଉନ୍ମୋଚନ ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.