Odisha Link
Bridging the Missing Links in Odisha

ରାଜ୍ୟର ୨୨ ହଜାର ହେକ୍ଟର ଜମିରେ କଦଳୀ ଚାଷ ହେଉଛି: କୃଷି ମନ୍ତ୍ରୀ

ଭୁବନେଶ୍ବର: କଦଳୀକୁ ନେଇ ଆଜି ଗୃହରେ ଚର୍ଚ୍ଚା ହୋଇଥିଲା। କଦଳୀ ଚାଷରେ ଓଡ଼ିଶା କେତେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ବାବଦରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଜି ଗୃହରେ ପ୍ରଶ୍ନ କରିଥିଲେ ଯେ କଦଳୀ ଚାଷରେ କିଭଳି ପ୍ରୋତ୍ସାହନ ଦିଆଯାଉଛି ଓ ଓଡ଼ିଶା ଏହି ଚାଷରେ କେତେ ଆତ୍ମନିର୍ଭରଶୀଳ ହୋଇପାରିଛି।

ଏହି ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କଦଳୀ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବର୍ତ୍ତମାନ ରାଜ୍ୟରେ ୨୨ ହଜାର ହେକ୍ଟରରେ କଦଳୀ ଚାଷ କରାଯାଉଛି। ଏହାଛଡା ଅନ୍ୟମାନେ ନିଜ ବାଡ଼ିରେ ମଧ୍ୟ କଦଳୀ ଗଛ ଲଗାଉଛନ୍ତି। ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି। ଆନ୍ଧ୍ର କଦଳୀ ବ୍ରାଣ୍ଡ ହୋଇସାରିଛି ତେଣୁ ଲୋକ ଭାବୁଛନ୍ତି ସବୁ କଦଳୀ ଆନ୍ଧ୍ରରୁ ଆସୁଛି। କଦଳୀ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନରୁ ସହାୟତା ଦିଆଯାଉଛି। ଅଧିକ କଦଳୀ ଉତ୍ପାଦନ ଓ ଗୁଣବତ୍ତା ପାଇଁ ଢେଙ୍କାନାଳ ଓ ଭୁବନେଶ୍ୱରରେ ଉନ୍ନତମାନର କଦଳୀ ଚାରା ପାଇଁ ଟିସୁ କଲଚରର ବ୍ୟବସ୍ଥା କରାଯାଇଛି।

ପାଚିଲା କଦଳୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। କଦଳୀ ଚାଷକୁ ପ୍ରୋତ୍ସାହନ ଦେବାକୁ ଚାଷୀଙ୍କୁ ହେକ୍ଟର ପ୍ରତି ୪୦୯୮୫ ଟଙ୍କା ସହାୟତା ଦିଆଯାଉଛି ।ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ଜିଲ୍ଲାରେ କଦଳୀ ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.