ଆଜି ବି ବର୍ଷା ସମ୍ଭାବନା, ୨୮ରୁ ପାଗରେ ପରିବର୍ତ୍ତନ
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରୁ ସାରା ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା। ବର୍ଷା ପ୍ରଭାବ ଆହୁରି ୪୮ ଯାଏଁ ଘଣ୍ଟା ଲାଗି ରହିବ। ଆଜି ଉତ୍ତର ଏବଂ ଦକ୍ଷିଣ ଉପକୂଳର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି.ବେଗରେ ପବନ ବହିବ। ବର୍ଷାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା ୨୭ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ଏହାଛଡ଼ା ଉତ୍ତର ଉପକୂଳ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଅନୁଭୂତ ହେବ। ୨୮ରୁ ପାଗ ବଦଳିଯିବ। ତେବେ ଅଧିକାଂଶ ଅଞ୍ଚଳରେ କୁହୁଡ଼ି ପ୍ରଭାବ ରହିବ। ବର୍ଷା ଓ ପବନ ଯୋଗୁଁ ପାଗ ବଦଳିଯିବା ସହିତ ଉଭୟ ଦିନ ଓ ରାତିର ତାପମାତ୍ରା କମିଛି। ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ସେହିପରି ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।
Comments are closed.