ଘୁଞ୍ଚିଲା ଶାହୀନବାଗ ଶୁଣାଣି
ନୂଆଦିଲ୍ଲୀ: ଘୁଞ୍ଚିଲା ଶାହୀନବାଗ ଶୁଣାଣି। ନୂଆଦିଲ୍ଲୀ ଶାହୀନବାଗ ହିଂସା ନେଇ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି। ମାର୍ଚ୍ଚ ୨୩ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ହିଂସା ଦୁର୍ଭାଗ୍ୟଜନକ, ଏବେ ଶୁଣାଣିର ସମୟ ନୁହେଁ। ହିଂସା ଜାରି ଥିବା ବେଳେ ଶୁଣାଣି ହୋଇପାରିବ ନାହିଁ। ଏଥିସହ ଜାତୀୟ ରାଜଧାନୀର ଉତ୍ତରପୂର୍ବ ଜିଲ୍ଲାରେ ହିଂସାକାଣ୍ଡ ନିୟନ୍ତ୍ରଣରେ ଅପାରଗ ପୁଲିସକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଭର୍ତ୍ସନା କରିଛନ୍ତି।
ଅନ୍ୟପକ୍ଷରେ ପୂର୍ବ ଶୁଣାଣି ବେଳେ ସୁପ୍ରିମକୋର୍ଟ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ଦୁଇ ମଧ୍ୟସ୍ଥି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ୩ଦିନ କାଳ ଶାହୀନ ବାଗ ଯାଇ ସେଠାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସୋମବାର ସେମାନେ ସୁପ୍ରିମକୋର୍ଟରେ ଆଲୋଚନାର ରିପୋର୍ଟକୁ ସିଲ୍ କଭରରେ ଦାଖଲ କରିଛନ୍ତି। ହେଲେ ଏହା ଉପରେ ଆଜି ଶୁଣାଣି ବେଳେ କୋର୍ଟ କୌଣସି ଟିପ୍ପଣୀ କରିନାହାନ୍ତି।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)କୁ ବିରୋଧ କରି ପାଖାପାଖି ଦୁଇ ମାସ ହେବ ଦିଲ୍ଲୀ ଶାହୀନବାଗରେ ଆନ୍ଦୋଳନ ହେଉଛି। ସେପଟେ, ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଗତ କାଲି ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେବାରେ ଲାଗିଛି ତେଣୁ ସୁପ୍ରିମକୋର୍ଟ ଆଜି ଶାହୀନବାଗ ଶୁଣାଣିକୁ ଘୁଞ୍ଚାଇଛନ୍ତି।
Comments are closed.