ମୋ ପରିଶ୍ରମ ଫଳ ମିଳିଲା: ମୁନା ଖାଁ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ମୁନା ଖାଁ। ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖାଁ କହିଛନ୍ତି ଯେ, ମୋ ପରିଶ୍ରମର ଫଳ ମୋତେ ମିଳିଲା। ମୋତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ରାଜ୍ୟସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି ।
ସୂଚନାଯୋଗ୍ୟଯେ, ୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ବିଜେଡ଼ିର ୪ ଆସନ ପାଇଁ ସଂଖ୍ୟା ନଥିଲେ ହେଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଯାବତ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହୋଇନଥିବାବେଳେ ବିଜେପି ମଧ୍ୟ ବିଜେଡ଼ିକୁ ସମର୍ଥନ କରିବ ବୋଲି ଜାଣିବାକୁ ମିଳିଛି ।
ପ୍ରକାଶ ଯେ, ରାଜ୍ୟସଭା ଦୌଡ଼ରେ ବିଜେଡିର ବହୁ ବରିଷ୍ଠ ନେତା ରହିଥିଲେ । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ପୂର୍ବରୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ତେଣୁ ଏହି ଦୁଇ ନେତା ବହୁ ଆଶାବାନ୍ଧି ବସିଥିଲେ । ଏମାନଙ୍କ ବ୍ୟତୀତ ରାସେଶ୍ୱରୀ ପାଣିଗ୍ରାହୀ, ଦେବାଶିଷ ସାମନ୍ତରାୟ, ଶ୍ରୀମୟୀ ମିଶ୍ର, ସଞ୍ଜୟ ଦାସବର୍ମାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ସଞ୍ଜୟଙ୍କୁ ଯୋଜନାବୋର୍ଡ ଉପାଧ୍ୟକ୍ଷ କରାଯିବା ପରେ ସେ ରାଜ୍ୟସଭାକୁ ଯିବେ ନାହିିଁ ବୋଲି ସ୍ପଷ୍ଟ ହୋଇଥିଲା । ଏତଦବ୍ୟତୀତ ପରାଜିତ ନେତାଙ୍କୁ ରାଜ୍ୟସଭା ବାଟରେ ଥଇଥାନ କରିବାକୁ ନବୀନ ଉଦ୍ୟମ କରିବେ ନାହିଁ ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ସତ ସାବ୍ୟସ୍ତ ହୋଇଛି ।
ସୂଚନା ଯୋଗ୍ୟ ଯେ, ୧୭ଟି ରାଜ୍ୟର ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠି ହେବ । ଏନେଇ ଶୁକ୍ରବାର ଭାରତର ନିର୍ବାଚନ କମିସନ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେହି ଅନୁଯାୟୀ ଗତକାଲି ଓଡ଼ିଶାର ୪ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।