ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ତଥା ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା ଏବଂ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟା ପାଇଁ ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୪ ପରେ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବଢିପାରେ। ଗୁରୁବାର ଦିନ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।