Odisha Link
Bridging the Missing Links in Odisha

କରୋନା ନେଇ ପଞ୍ଚାୟତ ସ୍ତରରେ କାର୍ଯ୍ୟକ୍ରମ

ଭୁବନେଶ୍ବର : କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରୁ ପଡୋଶୀ ଦେଶକୁ ଯାତାୟତ ବନ୍ଦ କରାଯାଇଛି । କବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର ସୀମା ଆଜିଠୁ ସିଲ୍ ହୋଇଛି ।

ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏହାରି ଭିତରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦମାନଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି, ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ଚାରିମାସ ପାଇଁ ଏକକାଳୀନ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଜନସମାଗମକୁ ସୀମିତ ରଖିବା ନିମନ୍ତେ ଏହି ଭତ୍ତା ରାଶିକୁ ହିତାଧିକାରୀଙ୍କୁ ସେମାନଙ୍କ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ। ଏଥିନିମନ୍ତେ ଆସନ୍ତା ମାର୍ଚ୍ଚର୍ ୧୯ ତାରିଖରେ ହେବାକୁ ଥିବା ପ୍ରତ୍ୟେକ ଗ୍ରାମପଞ୍ଚାୟତ ସଭାରେ ଗ୍ରାମୱାରୀ ଭତ୍ତା ବଣ୍ଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିରିକୃତ କରାଯିବ ।

ଏନଏଫଏସ ଆକ୍ଟରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ୧୫ ମଇ ପର୍ଯ୍ୟନ୍ତ ଅର୍ଥାତ ୪୫ ଦିନ ମଧ୍ୟରେ ତିନି ମାସ ପାଇଁ ଚାଉଳ, ଗହମ ଓ କିରାସିନି ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାସନ ଦୋକାନ ମାନଙ୍କୁ ଗହଳି ମୁକ୍ତ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗଇ ଦିଆଯିବାର ବ୍ୟବସ୍ଥା କରାଯାଉଛି ।

କୋଭିଡ-୧୯ ଏକ ସଂକ୍ରାମକ ରୋଗ ହୋଇଥିବାରୁ ଇ-ପୋସ, ବାୟୋମେଟ୍ରିକ ଓ ଆଇରିସ ସ୍କାନିଂ କରାଯିବ ନାହିଁ । ଦେଶ ବାହାରୁ ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ରେଜିଷ୍ଟ୍ରେସନ ରେଗୁଲେସନ ଅନୁଯାୟୀ ନିଜକୁ ପଞ୍ଜିକୃତ କରାଇବା ସହିତ ନିଜ ଗୃହରେ ୧୪ ଦିନ ସଙ୍ଗରୋଧ କରି ରହିବେ ।

ଉକ୍ତ ସଙ୍ଗରୋଧ ସମୟସୀମା ସଫଳତାର ସହିତ ଶେଷ କରିଥିବା ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହାକୁ ନିୟମିତଭାବେ ତଦାରଖ କରାଯିବ । ଏହାଛଡ଼ା ପଞ୍ଚାୟତର ସଭ୍ୟମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କର ପଞ୍ଜିକରଣ ପାଇଁ ସୂଚନା ଦେବେ ।

କରୋନା ଯେହେତୁ ଏକ ସଂକ୍ରାମକ ରୋଗ, ତେଣୁ ବିଶେଷ ସତର୍କତା ଅବଲମ୍ବନ କରାଯିବା ଜରୁରୀ । ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କରୋନା ରୋଗ ଦେଖାଦେଇଛି । ତେଣୁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ଯେପରି ସ୍ୱେଚ୍ଛାରେ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ ଅଲଗା ରହିବେ ସେଥିପାଇଁ ସେମାନଙ୍କୁ ସଚେତନ କରାନ୍ତୁ । ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟସ୍ତରରେ କୌଣସି ରେଜିଷ୍ଟ୍ରେସନ ଆବଶ୍ୟକ ନାହିଁ ।

୬୦ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବା ନିମନ୍ତେ ପରାମର୍ଶ ଦିଆଯାଉଛି ।  ଯେହେତୁ ୩୧.୦୩.୨୦୨୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ତେଣୁ ୩-୬ ବର୍ଷ ବୟସ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା ରାସନ ଅଙ୍କନବାଡ଼ି କର୍ମୀ ଓ ସହାୟିକାମାନେ ହିତାଧିକାରୀଙ୍କ ଗୃହରେ ସିଧାସିଳଖ ଯୋଗାଇ ଦେବାର ବ୍ୟବସ୍ଥା କରିବେ ।

ପ୍ରତି ଗ୍ରାମରେ ଏନଏନଏମ/ଆଶା କର୍ମୀମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଯଥା ପାରାସିଟାମଲ, ଓଆରଏସ ଇତ୍ୟାଦି ଉପଲବ୍ଧ ହେବ । ଏହାଛଡ଼ା ଅତ୍ୟାବଶ୍ୟକ ଓ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହେଉଛି ।

ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିଜୁଳି, ପାଣି, ଶୌଚାଳୟ ଏବଂ ପାୱାର ବେକଅପ ସୁବିଧା ଥିବା ଏକ ନିର୍ଦ୍ଧିଷ୍ଟ ଘରକୁ ପ୍ରସ୍ତୁତ ରଖାଯିବ । ଆବଶ୍ୟକ ପଡ଼ିଲେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୫ ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦନ କରିସାରିଛି ।

Comments are closed.