Odisha Link
Bridging the Missing Links in Odisha

ଭୂତାଣୁ, ଭୋକ ଓ ଭୂକମ୍ପ: ଦିଲ୍ଲୀରେ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ମାତ୍ରା ୩.୫ ମାଗ୍ନିଚ୍ୟୁଡ୍‌ ଥିବା ବେଳେ ସାରା ରାଜଧାନୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଗୋଟିଏ ପଟେ କରୋନାର କବଳରେ ଭୀଷଣ ଭାବେ ପ୍ରଭାବିତ ହୋଇଛି ଦିଲ୍ଲୀ। କରୋନା ଜନିତ ମୃତ୍ୟୁ ତାଲିକାରେ ଦେଶର ସର୍ବାଧିକ କ୍ଷିତଗ୍ରସ୍ତ ୪ ରାଜ୍ୟ ମଧ୍ୟରେ ରହିଛି ଦିଲ୍ଲୀ। ଏଠାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଅତିକ୍ରମ କରିଥିବା ଦେଶର ୩ ରାଜ୍ୟ (ମହାରାଷ୍ଟ୍ର ଓ ତାମିଲନାଡ଼ୁ ସମେତ) ମଧ୍ୟରେ ଦିଲ୍ଲୀ ଅନ୍ୟତମ। ନିଜାମୁଦ୍ଦିନ୍‌ ମର୍କାଜା ସଂପର୍କିତ ମୃତ୍ୟୁସଂଖ୍ୟା ମଧ୍ୟ ଦିଲ୍ଲୀରେ ସର୍ବାଧିକ। କରୋନାକୁ ନେଇ ଛାନିଆ ଦିଲ୍ଲୀବାସୀଙ୍କ ଉପରେ ଭୂକମ୍ପର ଭୟ ବୋଝ ଉପରେ ଡ଼ଳିତା ବିଡ଼ା ପରି ଲଦିହୋଇଛି।

ଦିଲ୍ଲୀରେ ଦରିଦ୍ର ଓ ଗୃହହୀନଙ୍କ ପାଇଁ ରାଜ୍ୟ ସରକାର ମାଗଣା ଖାଦ୍ୟ ବ୍ୟବସ୍ଥା କରିଥିଲେ ବି କରୋନା ମହାମାରୀ ସମୟରେ ଭୋକ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ବାହାର ରାଜ୍ୟରୁ ଆସି ଫସି ରହିଥିବା ଶ୍ରମିକ, ଗୃହହୀନ, ସହରତଳି ବସ୍ତିବାସିନ୍ଦା ଓ ଜିବି ରୋଡ୍‌ରେ ରହୁଥିବା ରୂପଜୀବୀ ଖାଦ୍ୟ ଅଅଭାବରେ ଥିବା ରିପୋର୍ଟ ପ୍ରକାଶ ପାଇଛି। ଏଭଳି ସମୟରେ ଭୂକମ୍ପର ମାଡ଼ ଦିଲ୍ଲୀବାସୀଙ୍କ ଛାତି ଥରାଇ ଦେଇଛି।

ଏଯାଏଁ ଭୂକମ୍ପ ସମ୍ପର୍କିତ କୌଣସି ଧନଜୀବନ ହାନିର ଖବର ମିଳି ନଥିଲେ ହେଁ, କରୋନା ଭୂତାଣୁ, ଭୋକ ଆଉ ଭୂକମ୍ପ ଏବେ ଭାରତର ପ୍ରାଣକେନ୍ଦ୍ର ଦିଲ୍ଲୀରେ ଭୟର ଚାଦର ଘୋଡ଼େଇ ଦେଇଛି।

Comments are closed.