ଭଲ ଖବର: ୨ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: କରୋନା ଲଢ଼େଇରେ ରାଜ୍ୟ ପାଇଁ ଭଲ ଖବର। ୨ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଅର୍ଥାତ୍ ଗୁରୁବାର ଦିନ ରାାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍ ଆସିଛି। ଗତକାଲି ମୋଟ ୮୪୩ଟି ନମୁନା ପରୀକ୍ଷା ହୋଇଥିଲା। ତେବେ ସମସ୍ତ ରିପୋର୍ଟ ନମୁନା ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ବୁଧୁବାର ମଧ୍ୟ ରାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନଗେଟିଭ ଆସିଥିଲା।
ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୭,୫୭୭ ନମୁନା ପରୀକ୍ଷା ହୋଇଛି। ଏଥିରୁ ୭,୫୧୭ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରେ ଚିକତ୍ସାଧୀନ ଅଛନ୍ତି।
ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯ଜଣ ସୁସ୍ଥ ହୋଇସାରିଲେଣି। ତେବେ ସର୍ବାଧିକ ସଂଖ୍ୟକ ବ୍ୟକ୍ତି ଖୋର୍ଧା ଜିଲ୍ଲାରୁ ହିଁ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ଏବେ ୧୨ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୪ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇସାରିଛନ୍ତି। ତେବେ ଯାଜପୁର, କଳାହାଣ୍ଡିର ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ାର ୨ଜଣ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକର ୩ଜଣରୁ ୨ଜଣ ସୁସ୍ଥ ଓ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳର ଜଣେ ଚିକିତ୍ସିତ ହେଉଥିବା ବେଳେ ଓ ସୁନ୍ଦରଗଡ଼ର ୨ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।