Odisha Link
Bridging the Missing Links in Odisha

ଆଜି ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୪୭ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍‌ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ।

ଚଳିତବର୍ଷ ମହାମାରୀ କରୋନା ଭାଇରସ ପାଇଁ ସଚିନ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସୂଚନା ରହିଛି। ବିଶ୍ବ କ୍ରିକେଟ୍‌ର ମହାନତମ ତଥା ଉଜ୍ଜ୍ବଳ ତାରକା ସଚିନ ସଂପ୍ରତି କରୋନା ଆତଙ୍କ ପାଇଁ ନିଜ ମୁମ୍ବାଇ ବାସଭବନରେ ଲକଡାଉନ୍ ଅଛନ୍ତି। ସେ ମଧ୍ୟ ଛୋଟ ମୋଟ ଦୈନନ୍ଦିନ କାର୍ଯ୍ୟ ନିଜେ କରୁଛନ୍ତି। ନିକଟରେ ସଚିନ ନିଜ କେଶକୁ ନିଜେ କାଟୁଥିବାର ଫଟୋ ପ୍ରକାଶ କରି ପ୍ରଶଂସିତ ହୋଇଥିଲେ। ‘ସ୍କୋୟାର କଟ୍‌ରୁ ହେୟାର କଟ୍’ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ସେ ସବୁବେଳେ ଉପଭୋଗ କରନ୍ତି ବୋଲି ସଚିନ ଟ୍ବିଟ୍ କରି ପ୍ରଶଂସକଙ୍କ ମନ ଜିତି ନେଇଥିଲେ। ସଚିନ ପୂର୍ବରୁ କରୋନା ଲଢ଼େଇ ପାଇଁ ୫୦ ଲକ୍ଷ ଟଙ୍କା ଦାନ କରି ନିଜ ନିଜ ମହାନତାର ପରିଚୟ ଦେଇଥିଲେ। ସେହିଭଳି ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ ପ୍ରସାରିତ ଜନହିତକର ବିଜ୍ଞାପନରେ ଅଭିନୟ କରି ସଚିନ ମଧ୍ୟ କରୋନା ବିରୋଧୀ ସଚେତନତା ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ସେ ମଧ୍ୟ ଅନେକ ସ୍ବେଚ୍ଛାସେବୀ ଓ ଦାତବ୍ୟ ସଂଗଠନ ସହ ଜଡ଼ିତ ଅଛନ୍ତି।

କ୍ରିକେଟରେ ସଚିନ୍‌ ବେଶ୍‌ ଖ୍ୟାତି ହାସଲ କରିପାରିଛନ୍ତି। ୧୯୯୫ରେ ସେ ନିଜଠାରୁ ୫ ବର୍ଷ ବଡ଼ ଡାକ୍ତର ଅଞ୍ଜଳିଙ୍କୁ ବିବାହ କରିଥିଲେ। ୨୫୯ ଏକଦିବସୀୟ ଇନିଂସ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୩୦ ହଜାରରୁ ଅଧିକ ରନ୍‌ ସଂଗ୍ରହ କରି ଏକ ରେକର୍ଡ କରିଛନ୍ତି। ଖେଳରେ ଉଲ୍ଳେଖନୀୟ ଅବଦାନ ପାଇଁ ୧୯୯୪ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୧୯୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ, ୧୯୯୯ରେ ପଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଥିଲା।

Comments are closed.