Odisha Link
Bridging the Missing Links in Odisha

ନବୀନଙ୍କୁ ଜୁଏଲଙ୍କ ଚିଠି: ମୃତ ଆଶାକର୍ମୀଙ୍କୁ ୫୦ ଲକ୍ଷ ଦିଅନ୍ତୁ

ଭୁବନେଶ୍ବର: ରାଜ୍ୟରେ କରୋନା ଲଢ଼େଇରେ ସାମିଲ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସହାୟକଙ୍କ ସେମାନଙ୍କୁ ଶହୀଦର ଆଖ୍ୟା ଦିଆଯିବ ଓ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଏପ୍ରିଲ ୨୨ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଣୁ ସେହି ଆଧାରରେ ସୁନ୍ଦରଗଡ଼ର ମୃତ ଆଶାକର୍ମୀ ନିର୍ମଳା ସୋରେଙ୍ଗଙ୍କୁ ସମ୍ମାନ ଦେବା ସହ ୫୦ ଲକ୍ଷ ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ତଥା ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଜୁଏଲ୍‌ ଓରାମ।

ଏ ନେଇ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀର ମୃତ ନିର୍ମଳା କୋଭିଡ୍-୧୯ ପାଇଁ କାର୍ଯ୍ୟରତ ଥିବା ବେଳେ ଜୀବନ ହାରିଛନ୍ତି। ତାଙ୍କ ପରିବାରକୁ ୫୦ ଲକ୍ଷର ଆର୍ଥିକ ସହଯୋଗ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେଲେ ସେ କୃତଜ୍ଞ ରହିବେ ବୋଲି ଜୁଏଲ ଚିଠିରେ ଉଲ୍ଲେଖ କରିଛନ୍ତି।

ମୃତ ନିର୍ମଳା ସୁନ୍ଦରଗଡ଼ ଜିଲ୍ଲା କାଙ୍କେରଜାର ବ୍ଲକର ବାଳିଶଙ୍କରା ଗାଁର ସୁଶୀଳ ସୋରେଙ୍ଗଙ୍କ ପତ୍ନୀ। ସେ କିଞ୍ଜିରକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଏପ୍ରିଲ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.