Odisha Link
Bridging the Missing Links in Odisha

ସୁରତ ଫେରନ୍ତା ଗର୍ଭବତୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍‌, ପ୍ରସବ କରାଇଲେ ସ୍ବାମୀ

ଭୁବନେଶ୍ବର: ସୁରତରୁ ଓଡ଼ିଶା ଅଭିମୁଖେ ଏକ ବସ୍‌ରେ ଆସୁଥିବା ବେଳେ ଜଣେ ମହିଳା ଗର୍ଭଯନ୍ତ୍ରଣା ଭୋଗିବାରୁ ବସ୍‌ ତାଙ୍କୁ ଛାଡ଼ିଦେଇ ଓଡ଼ିଶା ଚାଲିଆସିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାସ୍ତାରେ ନିଜେ ମହିଳାଙ୍‌ ସ୍ବାମୀ ପ୍ରସବ କରାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁଜରାଟର ଏକ ଡାକ୍ତରଖାନା ଯାଇଥିଲେ ଏହି ଓଡ଼ିଆ ଦମ୍ପତି।

ଘଟଣା ଘଟିଛି ଗୁଜରାଟ ସୀମାରେ ଥିବା ଶାବରକଣ୍ଠ ଜିଲ୍ଲା କାନପୁର ଠାରେ। ରାଜ୍ୟ ରାଜପଥ ୧୪୫ ଉପରେ ଗର୍ଭ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ବସରୁ ଓହ୍ଲାଇ ଦେଇଥିଲେ କର୍ମଚାରୀ। ତାଙ୍କ ସ୍ବାମୀ ସୁଶାନ୍ତ କୁମାର ବେହେରାଙ୍କୁ ମଧ୍ୟ ଓହ୍ଲାଇ ଦେଇଥିଲେ। କେହି ବି ନ ଆସିବାରୁ ନିଜେ ପତ୍ନୀଙ୍କର ସନ୍ତାନ ପ୍ରସବ କରାଇଥିବା କହିଛନ୍ତି ସୁଶାନ୍ତ। ଏପରି ଅବସ୍ଥାରେ ବସ୍‌ ତାଙ୍କୁ ଛାଡ଼ି ଓଡ଼ିଶା ଚାଲିଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଡାକ୍ତରଖାନା ପହଞ୍ଚିଥିଲେ। ସୁଶାନ୍ତଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ।

ଡାକ୍ତରଖାନାରେ ମା’ ଓ ଶିଶୁ ଏବେ ସୁସ୍ଥ ଥିବା କହିଛନ୍ତି ସୁଶାନ୍ତ। ତେବେ ୨ ମାସ ହେଲା ସେ କାମ କରୁଥିବା କାରଖାନା ବନ୍ଦ ଥିବାରୁ ତାଙ୍କ ପାଖରେ ଟଙ୍କାଟିଏ ବି ନ ଥିବା ଜଣାଇଛନ୍ତି। ସମ୍ପର୍କୀୟଙ୍କୁ ଫୋନ ଯୋଗେ ଟଙ୍କା ମାଗି ସେହି ଟଙ୍କାରେ ବସ ଭଡ଼ା କରି ସେ ଗାଁକୁ ଫେରୁଥିବା କହିଛନ୍ତି। ଡାକ୍ତରଖାନାରୁ ସେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସହଯୋଗ ପାଇଁ ଫୋନ କରିଥିଲେ ମଧ୍ୟ ସେମାନେ କୌଣସି ସହଯୋଗ କରିବାକୁ ଅସମର୍ଥ ପ୍ରକାଶ କରିଥିବା କହିଛନ୍ତି ସୁଶାନ୍ତ।

Comments are closed.