Odisha Link
Bridging the Missing Links in Odisha

ପାକିସ୍ତାନ ବାୟୁସେନାରେ ନିଯୁକ୍ତ ହେଲେ ପ୍ରଥମ ହିନ୍ଦୁ ପାଇଲଟ୍‌‌, କିଏ ସେ ଜାଣନ୍ତୁ?

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ପାକିସ୍ତାନୀ ବାୟୁସେନାରେ ଜଣେ ହିନ୍ଦୁଙ୍କୁ ପାଇଲଟ୍‌ ଭାବେ ନିଯୁକ୍ତ କରିଛି ପାକିସ୍ତାନ। ପାକିସ୍ତାନରେ ଏହା ହେଉଛି ପ୍ରଥମ ଘଟଣା। ଏହା ପୂର୍ବରୁ ପାକିସ୍ତାନ ବାୟୁସେନାରେ କୌଣସି ହିନ୍ଦୁ ପାିଲଟ ନଥିଲେ। ପାଇଲଟ୍‌ ଭାବେ ନିଯୁକ୍ତ ହୋଇଥିବା ଯୁବକ ଜଣକ ହେଉଛନ୍ତି ରାହୁଲ ଦେବ। ସେ ବାୟୁସେନାର ଜେନେରାଲ ଡ୍ୟୁଟି ପାଇଲଟ୍‌(ଜିଡିପି) ପଦବୀରେ ନିଯୁକ୍ତି ପାଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସିନ୍ଧ ପ୍ରଦେଶର ସବୁଠୁ ବଡ଼ ଜିଲା ଥାରପରକରରେ ରାହୁଲଙ୍କ ଘର।

ଥାରପରକର ଜିଲାରେ ବହୁ ସଂଖ୍ୟାରେ ହିନ୍ଦୁ ବସବାସ କରନ୍ତି। ଅଲ୍‌ ପାକିସ୍ତାନ ହିନ୍ଦୁ ପଞ୍ଚାୟତର ସଚିବ ରବି ଦୱାନୀ ରାହୁଲଙ୍କ ଏହି ନିଯୁକ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ପୂର୍ବରୁ ପାକିସ୍ତାନୀ ସେନା ଏବଂ ସିଭିଲ ସର୍ଭିସରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ବାୟୁସେନାରେ ନିଯୁକ୍ତି ପାଇବା ପ୍ରଥମ।

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନରେ ଅନେକ ଡାକ୍ତର ବି ହିନ୍ଦୁ ସମ୍ପ୍ରଦାୟର ଅଛନ୍ତି। ଯଦି ସରକାର ସଂଖ୍ୟାଲଘୁଙ୍କ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଅନେକ ରାହୁଲ ଦେବ ଦେଶର ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସିନ୍ଧ ପ୍ରଦେଶର ଏକ ପଛୁଆ ଅଞ୍ଚଳରୁ ଆସିଥିଲେ ବି ରାହୁଲ ପାକିସ୍ତାନୀ ବାୟୁସେନାରେ ଜିଡିପି ଭଳି ବଡ଼ ପଦବୀ ହାସଲ କରିପାରିଛନ୍ତି। ଗଣମାଧ୍ୟମରେ ଏଖବର ପ୍ରସାରିତ ହେବା ପରେ ସବୁଠି ଚର୍ଚ୍ଚାରେ ରାହୁଲ ଦେବ।

ସୂଚନାଥାଉକି, ୨୦୧୮ ସାଧାରଣ ନିର୍ବାଚନରେ ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଥିଲେ ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର ନାଗରିକ, ସାମାଜିକ ତଥା ଧାର୍ମିକ ଅଧିକାରକୁ ସୁରକ୍ଷା ଦେବେ। ତେବେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରେ ମଧ୍ୟ ସବୁକିଛି ସମାନ। ପାକିସ୍ତାନୀ ହିନ୍ଦୁମାନେ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛନ୍ତି ବୋଲି ସେଠାକର ଜନତା ଗଣମାଧ୍ୟମକୁ କହିଛନ୍ତି।

Comments are closed.