Odisha Link
Bridging the Missing Links in Odisha

ଆଜି ରାତି ୮ରେ ପୁଣି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଜାତୀୟ ଟିଭି ଚ୍ୟାନେଲ ଦୂରଦର୍ଶନ ସମେତ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓରେ ସିଧାପ୍ରସାରିତ ହେବ। କରୋନା ସଂକ୍ରମଣ ସମୟରେ ଏହା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ସମ୍ବୋଧନ।

କରୋନା ପ୍ରସଙ୍ଗରେ ମାର୍ଚ୍ଚ ୧୯ରେ ପ୍ରଥମେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ ମୋଦି। ଏ ଅବସରରେ ସେ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଘୋଷଣା କରିବା ସହ ସଂଧ୍ୟାରେ ତାଳି-ଥାଳି-ଘଣ୍ଟ ଆଦି ବାଡ଼େଇ କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାକୁ ଦେଶବାସୀଙ୍କ ଅନୁରୋଧ କରିଥିଲେ। ଦ୍ବିତୀୟ ଥର ପାଇଁ ମୋର୍ଚ୍ଚ ୨୪ରେ ଜନତାଙ୍କୁ ସମ୍ବୋଧନ କରି ଲକ୍‌ଡାଉନ୍‌ ଘୋଷଣା କରିଥିଲେ ମୋଦି।

ଅନୁରୂପ ଭାବେ ଏପ୍ରିଲ ୩ ତାରିଖରେ ପୁନର୍ବାର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଏପ୍ରିଲ ୫ରେ ୯ ମିନିଟ୍‌ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରି ଦୀପ-ମହମବତୀ-ଟର୍ଚ୍ଚ ଆଦି ଜାଳିବା ପାଇଁ ସେ ଏ ଅବସରରେ ଦେଶବାସୀଙ୍କୁ ଅନୁରୋଧ କରିଥଲେ। ଚତୁର୍ଥ ଥର ପାଇଁ ଦେଶବାସୀଙ୍କ ସମ୍ବୋଧନ କରି ଏପ୍ରିଲ ୧୪ ତାରିଖରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଥିଲେ ପ୍ରଧାନମନ୍ତ୍ରୀ।

ସଂପ୍ରସାରିତ ଲକ୍‌ଡଉନ୍‌ ଶେଷ ହେବାକୁ ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ଆଜି ସଂଧ୍ୟାରେ ୫ମ ଥର ପାଇଁ କରୋନା ସମ୍ପର୍କରେ ମୋଦି ଦେଶବାସୀଙ୍କୁ ବାର୍ତ୍ତା ଦେବେ। ତେବେ ଏ ଅବସରରେ ସେ କିଛି ବଡ଼ ଘୋଷଣା କରିବେ ଅଥବା ପୂର୍ବ ଦୁଇ ଥର ଭଳି ଦେଶବାସୀଙ୍କୁ କିଛି କାମ ଦେବେ ତାହା ଜଣାପଡ଼ିନାହିଁ।

Comments are closed.