Odisha Link
Bridging the Missing Links in Odisha

ତାମିଲନାଡ଼ୁ ମନ୍ଦିରରେ ଘୁଷୁରୀ ମାଂସ ମିଳିବା ନେଇ ଉତ୍ତେଜନା, ଜଣେ ଗିରଫ

କୋଏମ୍ବାଟୁର: ସ୍ଥାନୀୟ ଦୁଇଟି ହିନ୍ଦୁ ମନ୍ଦିର ଦରଜା ପାଖରେ କେହି କଞ୍ଚା ମାଂସ ରଖିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ହିନ୍ଦୁ ମୁନ୍ନାନି ନାମକ ଏକ ଧର୍ମୀୟ ସଂଗଠନର କର୍ମକର୍ତ୍ତାମାନେ ଅପରାଧୀକୁ ଧରିବା ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି।

ଗତ ଶୁକ୍ରବାର ଦିନ (୨୯ ମେ’) ଏ ଘଟଣା ଘଟିଥିଲା। ଗିରଫ ବ୍ୟକ୍ତିଙ୍କର ନାମ ହରିରାମ ପ୍ରକାଶ (୪୮)। ସହରରେ ସାଂପ୍ରଦାୟିକ ଉତ୍ତେଜନା ବଢ଼ାଇବା ଲକ୍ଷରେ ହରିରାମ ଏପରି କରିଥିବା ପୁଲିସ ଦାବି କରିଛି। କୋଏମ୍ବାଟୁରର ରାଘବେନ୍ଦ୍ର ମନ୍ଦିର ଓ ଭେନୁଗୋପାଲ କୃଷ୍ଣସ୍ବାମୀ ମନ୍ଦର ଦରଜା ପାଖରେ କଞ୍ଚା ଘୁଷୁରୀ ମାଂସ ଫିଙ୍ଗା ହୋଇଥିବା ଜଣାପଡ଼ିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ପଶୁ ମାଂସ ମିଳିବାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା। ଶ୍ରଦ୍ଧାଳୁମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ପୁଲିସ ହରିରାମଙ୍କୁ ଗିରଫ କରିବା ପରେ ଉତ୍ତେଜନା ହ୍ରାସ ପାଇଥଇଲା।

ମିଳିଥିବା ସୂଚନା ଅନୁସାରେ ହରିରାମ ସକାଳ ୧୦ଟା ୩୦ରେ ହରିରାମ ଏକ ବ୍ୟାଗରେ ଘୁଷୁରୀ ମାଂସ ନେଇ ପ୍ରଥମେ ରାଘବେନ୍ଦ୍ର ମନ୍ଦିର ସମ୍ମୁଖରେ ଥୋଇ ଆସିଥିଲେ ଓ ପରେ ଆଉ ଏକ ମାଂସ ବ୍ୟାଗ୍‌ କୃଷ୍ଣସ୍ବାମୀ ମନ୍ଦିର ଆଗରେ ରଖିଥିଲେ। ହରିରାମ ଏପରି କରୁଥିବା ବେଳେ ଜଣେ ଫୁଲିବିକାଳି ଦେଖିଥିଲେ ଓ ହରିରାମ ଫୁଲ ରଖୁଛନ୍ତି ବୋଲି ଭାବିଥିଲେ। ପରେ ସତ ସାମନାକୁ ଆସିଥିଲା।

ହରିରାମ କୌଣସି ମୌଲବାଦୀ ସଂଗଠନ ସହ ଜଡ଼ିତ କି ନା ଅଥବା ତାଙ୍କ ପଛରେ କାହାର ହାତ ଅଛି କି ନାହିଁ ନିଶ୍ଚିତ ନୁହେଁ ବୋଲି ଜଣାଇଛି ତାମିଲନାଡ଼ୁ ପୁଲିସ। ହରିରାମଙ୍କର ସାମାନ୍ୟ ମାନସିକ ବିକୃତି ଥିବା ମଧ୍ୟ ପୁଲିସ କହିଛି। ତେବେ କରୋନା ସଂକ୍ରମଣ ସମୟରେ ମୁସଲମାନମାନଙ୍କୁ ଦୋଷାରୋପ କରି ଅଯଥା ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ହରିରାମଙ୍କର ଉଦ୍ଦେଶ୍ୟ ବୋଲି ଅନୁମାନ କରାଯାଉଛି।

Comments are closed.