Odisha Link
Bridging the Missing Links in Odisha

ନୟାଗଡ଼: ଖଣ୍ଡପଡ଼ାରେ ୧୨ ହଜାର ବର୍ଷ ପୁରୁଣା ମାନବ ସଭ୍ୟତାର ସନ୍ଧାନ

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଜଙ୍ଗଲ ଭିତରେ ପ୍ରାୟ ୧୨ ହଜାର ବର୍ଷ ପୁରୁଣା ନବ-ପ୍ରସ୍ତରଯୁଗ ସମୟର ମାନବ ସଭ୍ୟତା ଥିବାର ପ୍ରମାଣ ମିଳିଛି। ଏଠାରେ ଠାବ ହୋଇଥିବା ପ୍ରସ୍ତର ଗୃହରେ ନିଓଲିଥିକ୍‌ ମାନବ ରହୁଥିଲେ ବୋଲି ଏହା ଉପରେ କାର୍ଯ୍ୟ କରୁଥିବା ଗବେଷଖ ଅନାମ ବେହେରା ସୂଚନା ଦେଇଛନ୍ତି।

ବାଣୀ ବିହାରର ପୁରାତନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ସହକାରୀ ପ୍ରାଧ୍ୟାପକ ଶ୍ରୀ ବେହେରାଙ୍କ ନେତୃତ୍ବରେ ଏକ ଗବେଷକ ଦଳ ପ୍ରଥମେ ୨୦୧୭ ମସିହାରେ ଖଣ୍ଡପଡ଼ା ଜଙ୍ଗଲ ଭିତରେ ପାଖାପାଖି ଥିବା ଦୁଇଟି ପୁରୁଣା ବାସସ୍ଥଳୀର ପ୍ରମାଣ ପାଇଥିଲେ।

ସିଂଘାପଡ଼ା ପଞ୍ଚାୟତ ନୂଆଗାଁ ଗ୍ରାମ ନିକଟସ୍ଥ ମସାଘାଇ ପାହାଡ଼ ଉପରେ ଦୁଇଟି ବିଶାଳ ପଥର ସଂଯୋଗରେ ଏକ ଆଦିମ ଗୁମ୍ଫାର ସନ୍ଧାନ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ମସାଘାଇ ଗୁମ୍ଫା ବୋଲି କହିଥାଆନ୍ତି। ତିନି ପଟ ବନ୍ଦ ଥିବା ବେଳେ ଗୋଟିଏ ପାଖ ଖୋଲା ଥିବା ଏହି ଗୁମ୍ଫାର ଓସାର ୬ ଫୁଟ ହୋଇଥିବା ବେଳେ ଲମ୍ବ ୩୫ ଫୁଟ। ଏହାର ପ୍ରସ୍ଥର କାନ୍ଥରେ ଆଦିମ ଜନଜାତିଙ୍କ ଚିତ୍ରକଳା ଠାବ ହୋଇଛି। ଏଠାରେ ପଶୁ ଚିତ୍ର ଓ ପଶୁ ମୁଣ୍ଡର ଚିତ୍ର ଦେଖିବାକୁ ମିଳିଛି। ସେହିପରି ଏଠାରେ ହାତଗଢ଼ା ପାତ୍ର ଓ ଭଙ୍ଗା ପଥର ଗୋଲା ମିଳିଛି। ପ୍ରାକ୍‌ ଐତିହାସିକ ଯୁଗରେ ଏଠାରେ ମଣିଷବସବାସ କରୁଥିଲେ ବୋଲି ଗବେଷକ ଦଳ କହିଛନ୍ତି। ବର୍ଷା ସମୟରେ ଏହା ଭିତରେ ୧୦୦ ଲୋକ ଆଶ୍ରୟ ନେବା ଭଳି ସ୍ଥାନ ରହିଛି।

ଏହି ଗୁମ୍ଫା ଠାରୁ ୫ କିଲୋମିଟର ଦୂର ସାରଣ୍ଡା ଟାସରା ଠାରେ ଆଉ ଏକ ଭଗ୍ନ ପ୍ରସ୍ତର ମନ୍ଦିର (ସ୍ଥୂପ)ର ସନ୍ଧାନ ମିଳିଛି। ବର୍ତ୍ତମାନ ଏକ ବଣଭୋଜି ସ୍ଥଳ ଭାବେ ପରିଚିତ ପ୍ରାକୃତିକ-ପର୍ଯ୍ୟଟନ ସ୍ଥଳ ସାରଣ୍ଡା ଟାସରା ହେଉଛି ୧୦ ଏକ ପରିମିତ ଏକ ବିଶାଳ ସମତଳ ପଥର ଚଟାଣ।

ସାରଣ୍ଡା ଟାସରାର ତିନିପଟେ ପାହାଡ଼ ଥିବା ବେଳେ ଏହା ନିକଟରେ ଏକ ଝରଣା ମଧ୍ୟ ରହିଛି। ଏଠାରେ ପଥର ବୋଲୁଅ ଓ ଛୋଟ ଖଣ୍ଡକୁ ନେଇ ପ୍ରସ୍ତୁତ ପ୍ରାଗୈତିହାସିକ ଯୁଗର ସ୍ଥୂପଟିଏ ଦେଖିବାକୁ ମିଳିଛି। ଏହାର ପାରିପାର୍ଶ୍ବିକ ଅବସ୍ଥା ଓ ପରିବେଶକୁ ଲକ୍ଷ କରି ଏହା ଏକ ମାଇକ୍ରୋଲିଥିକ୍‌ କ୍ଷେତ୍ର ବୋଲି ଗବେଷକ ମତ ଦେଇଛନ୍ତି। ମାଇକ୍ରୋଲିଥ୍‌ ହେଉଛି ପଥରରେ ତିଆରି ଅତି କ୍ଷୁଦ୍ର ଗୋଜିଆ ଓ ଟାଣ ଅସ୍ତ୍ର। ଏହାକୁ ୧୦,୦୦୦ରୁ ୩,୦୦୦ ବର୍ଷ ପୂର୍ବ ଯାଏଁ ବର୍ଚ୍ଛା ଓ ତୀରର ମୂନ ଭାବେ ବ୍ୟବହାର କରାଯାଉଥିଲା।

ଖଣ୍ଡପଡ଼ାର ଏହି ଜଙ୍ଗଲ ପାହାଡ଼ ଘେରା ସାରଣ୍ଡା ଓ ଆଖପାଖ ଅଞ୍ଚଳରେ ପ୍ରାଗ୍‌ ଐତିହାସିକ କାଳରେ ଏକ ସଭ୍ୟତା ଥିବାର ପ୍ରମାଣ ରହିଛି। ଏବେ ବି ଏହି ଅଞ୍ଚଳରେ କିଛି ଆଦିବାସୀ ପଲ୍ଲୀ ରହିଛି। ଏ ନେଇ ଅଧିକ ଗବେଷଣା ପାଇଁ ସେମାନେ ଭାରତୀୟ ପ୍ରତ୍ନତାତ୍ତ୍ବିକ କର୍ତୃପକ୍ଷ (ଏଏସ୍‌ଆଇ)ଙ୍କୁ ଜଣାଇଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

ମସାଘାଇ ପାହାଡ଼ ଓ ସାରଣ୍ଡା ଟାସରାକୁ ଯିବେ କିପରି?

ଭୁବନେଶ୍ବରରୁ ନୟାଗଡ଼-ଖଣ୍ଡପଡ଼ା ହୋଇ ଗଲେ ଏହାର ଦୂରତା ପ୍ରାୟ ୧୨୦ କିଲୋମିଟର ହେବ। ଭୁବନେଶ୍ବରରୁ କଳାପଥର-ଭାପୁର-ଖଣ୍ଡପଡ଼ା ହୋଇ ଗଲେ ଏହାର ଦୂରତା ପ୍ରାୟ ୯୦ କିଲୋମିଟର। ଖଣ୍ଡପଡ଼ା ଠାରୁ ଏହାର ଦୂରତା ୧୨ କିଲୋମିଟର। ଖଣ୍ଡପଡ଼ାରୁ ଖଳିସାହି ଦେଇ ୭ କିଲୋମିଟର ଗଲେ ସିଂଘାପଡ଼ା ପଡ଼ିବ। ଏଠାରୁ ଅଢ଼େଇ କିଲୋମିଟର ପରେ ରୂପାପଲି ଗାଁ। ରୂପାପଲି ଗାଁର ଟିକେ ଆଗକୁ ନୂଆଗାଁ। ଏହିଠାରେ ରହିଛି ମସାଘାଇ ପାହାଡ଼। ମସାଘାଇ ପାହାଡ଼ ଠାରୁ ଆଉ ୫ କିଲୋମିଟର ଆଗକୁ ରହିଛି ସରଣ୍ଡା ଟାସରା। ଏଠାରୁ ବିଶ୍ବପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିରର ଦୂରତା ୧୫ କିଲୋମିଟର।

Comments are closed.