Odisha Link
Bridging the Missing Links in Odisha

ଫକୀରମୋହନ ଫାଉଣ୍ଡେସନ ପକ୍ଷରୁ ପରିବେଶ ଓ ସାହିତ୍ୟ ସମ୍ପର୍କିତ ନଭୋସମ୍ପାନ

ନୂଆଦିଲ୍ଲୀ: ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ଫକୀରମୋହନ ଫାଉଣ୍ଡେସନ ପକ୍ଷରୁ ‘ପରିବେଶଗତ ଉଦ୍‌ବେଗ, ସାହିତ୍ୟ ଓ ଯୁବ ସମାଜ’ ଶୀର୍ଷକ ଏକ ନଭୋସମ୍ପାନ () ଆୟୋଜିତ ହେଇଯାଇଛି। ଏହି ଓ୍ବେବିନାରକୁ ଉଦ୍‌ଘାଟନ କରି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ସାମ୍ପ୍ରତିକ କରୋନା କବଳିତ ବିଶ୍ଵରେ ଯୁବକମାନଙ୍କର ଭୂମିକା କିଭଳି ହେବା ଉଚିତ ସେ ନେଇ ବକ୍ତବ୍ୟ ରଖିଥିଲେ। ଯୁବପିଢ଼ିଙ୍କୁ ଈଶ୍ୱରଙ୍କ ଅବଦାନ ବୋଲି କହି ସାମ୍ପ୍ରତିକ ବିଶ୍ଵ ସ‍ଂକଟକୁ ଭାରତୀୟ ଆଧ୍ୟାତ୍ମିକ ଚେତନାଦ୍ବାରା କିପରି ଦୂର କରାଯାଇପାରିବ ସେ ବିଷୟରେ ବିସ୍ତାର ମତବ୍ୟକ୍ତ କରିଥିଲେ ରାଜ୍ୟପାଳ।

ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଫକୀରମୋହନ ସେନାପତିଙ୍କ ଅଣନାତୁଣୀ ମନିକା ଦାସ ସମଗ୍ର ବିଶ୍ୱ କିପରି ଗୋଟିଏ ଗୃହ ସଦୃଶ ଏବଂ ଏହାର ସର୍ବବିଧ ସଙ୍କଟର ନିରାକରଣ ପାଇଁ ଯୁବକମାନେ କେଉଁ ଭଳି ଦାୟବଦ୍ଧତା ନିର୍ବାହ କରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜାମିୟା ମିଲିୟା ୟୁନିଭର୍ସିଟିର ରାଜନୀତି ବିଜ୍ଞାନର ପ୍ରଫେସର ଶ୍ରୀମତୀ ବୁଲ୍‌ବୁଲ୍ ଧର ଜେମ୍ସ ସାରା ପୃଥିବୀର ପରିବେଶ ତଥା ନଭୋମଣ୍ଡଳ ପ୍ରଦୂଷିତ ହେବା ଫଳରେ ମଣିଷ ଜୀବନ ଅତିବାହିତ କରିବା କେମିତି ଦୁର୍ବିସହ ହେଇ ପଡୁଛି, ସେ ବିଷୟରେ ସୂଚନା ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର କହିଥିଲେ, “ଯୁବସମାଜ ହେଉଛି ଚଳନ୍ତା ଗାଡ଼ିର କାର୍ବୋରେଟର ସଦୃଶ। ସେମାନଙ୍କ ବିନା କେବଳ ଭାରତ କାହିଁକି ସମଗ୍ର ବିଶ୍ୱ ଅଚଳ ହେଇଯିବ।” ଏହା ସହିତ ସାହିତ୍ୟ ମାଧ୍ୟମରେ ପରିବେଶଗତ ସଙ୍କଟ କିପରି ଦୂର କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଏହି ନଭୋସମ୍ପାନଟିକୁ ଫାଉଣ୍ଡେସନର ମୁଖ୍ୟ ନିର୍ଦ୍ଦେଶିକା ହିରଣ୍ମୟୀ ମିଶ୍ର ପରିଚାଳନା କରିଥିଲେ। ସଚିବ ତଥା ଶାନ୍ତିନିକେତନର ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ସଂଘମିତ୍ରା ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ। ତିନି ଘଣ୍ଟା ବ୍ୟାପୀ ଚାଲିଥିବା ଏହି ଦୃଶ୍ୟ-ସଞ୍ଚାରୀ ନଭୋସମ୍ପାନଟିରେ ଓଡ଼ିଶା, ଭାରତ ତଥା ପୃଥିବୀର ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟର ଗବେଷକ, ଗବେଷିକା, ଛାତ୍ରଛାତ୍ରୀ ତଥା ଗୁଣୀମାନୀ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।

Comments are closed.