Odisha Link
Bridging the Missing Links in Odisha

ଆଜି ୧୭ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍, ତାଲିକାରେ ଏହି ସବୁ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଯେଉଁ ଜିଲ୍ଲା ଗୁଡ଼ିକରେ ୫୦ରୁ ଅଧିକ କରୋନା ପଜିଟିଭ ଆକ୍ରାନ୍ତ ଅଛନ୍ତି ସେହି ଜିଲ୍ଲା ଗୁଡ଼ିକୁ ଜୋନ୍‌ ୧ରେ ସାମିଲ କରିଛନ୍ତି ରାଜ୍ୟ ସରକାର। ଜୋନ-୧ରେ ରାଜ୍ୟ ସରକାର ୧୦ ଟି ଜିଲ୍ଲାକୁ ରଖିଥିବା ବେଳେ ସେହି ସବୁ ଜିଲ୍ଲାରେ ଜୁଲାଇ ୩୧ ଯାଏଁ ସପ୍ତାହନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଅପରପକ୍ଷେ କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୭ଟି ଜିଲ୍ଲାରେ ସପ୍ତାହରେ ଦୁଇଦିନିଆ ସଟ୍‌ଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକ୍ରମେ ନବରଙ୍ଗପୁର ଜିଲାପ୍ରଶାସନ ପକ୍ଷରୁ ଏନେଇ ନିର୍ଦେଶନାମା ଜାରି କରାଯାଇଛି। ଜିଲାପାଳ ଅଜିତ କୁମାର ମିଶ୍ର ଦର୍ଶାଇଛନ୍ତି ଯେ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସବୁ ସପ୍ତାହର ଶନିବାର ଓ ରବିବାରକୁ ସଟ୍ ଡାଉନ କରାଯିବ। ସେହିପରି କେନ୍ଦ୍ରାପଡା, ନୟାଗଡ଼, ବଲାଙ୍ଗୀର, ରାୟଗଡା, ବରଗଡ଼ ଓ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସପ୍ତାହରେ ଦୁଇଦିନିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଏଣିକି ଏହି ୭ଟି ଜିଲାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ କଟକଣା ବଳବତ୍ତର ରହିବା।

ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶନାମା ଅନୁଯାୟୀ ସପ୍ତାହର ଅନ୍ୟ ୫ଦିନ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ। କିନ୍ତୁ ସଟ୍‌ଡାଉନ ଦିନ ତଥା ଶନିବାର ଓ ରବିବାର ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଓ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିବ। ଏନେଇ ନୟାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୩ଟି ୱାର୍ଡରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି।

ଏଥିସହିତ ଅନୁଗୁଳ ଜିଲ୍ଲାପାଳ ନିର୍ଦେଶନାମା ଅନୁଯାୟୀ ସପ୍ତାହର ଅନ୍ୟ ୫ଦିନ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ। କିନ୍ତୁ ସଟ୍‌ଡାଉନ ଦିନ ତଥା ଶନିବାର ଓ ରବିବାର ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଓ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିବ।

ବର୍ତ୍ତମାନ ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜିଲ୍ଲା ସଂଖ୍ୟା ୧୬କୁ ଛୁଇଁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ରେ ୧୦ଟି ଜିଲାକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ସେଥିମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ରହିଛି। ଏହି ତାଲିକାରେ ଆଜି ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ବରଗଡ଼, ରାୟଗଡା, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସାମିଲ ହୋଇଛି।