Odisha Link
Bridging the Missing Links in Odisha

ଗାଜିଆବାଦ ବାଣ କାରଖାନାରେ ଅଗ୍ନିକାଣ୍ଡ: ୭ ମୃତ, ୨୦ ଆହାତ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଉତ୍ତର ପ୍ରଦେଶର ଗାଜିଆବାଦର ମୋଦି ନଗରରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଆଜି ଅପରାହ୍ନରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ଖବର ଲେଖା ହେବା ଯାଏଁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହାତ ହୋଇଥିବା ଖବର ପ୍ରକାଶ ପାଇଛି। ଏଥିସହିତ କାରଖାନା ଭିତରେ କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ ସହାୟତାରେ କାରଖାନା ଭିତରେ ଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ଖବର ଅନୁଯାୟୀ ସେହି କାରଖାନାରଅଧିକାଂଶ କର୍ମଚାରୀ ମହିଳା ଅଟନ୍ତି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଂଚି ପୀଡିତମାନଙ୍କୁ ଚିହ୍ନଟ କରିବା ଏବଂ ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି।

ନିଆଁ କିପରି ଲାଗିଲା ତାହା ଏ ଯାବତ ଜଣା ପଡିନାହିଁ। ଅପରପକ୍ଷେ କାରଖାନାରେ ନିଆଁ ଲାଗିବା ମାତ୍ରେ ଲୋକମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସେହି କାରଖାନା ସେଠାରେ ବେଆଇନ ଭାବେ ଦୀର୍ଘ ସମୟ ଧରି ଚାଲୁଥିଲା। ବିଶେଷ କରି ସେହି କାରଖାନାରେ ଜନ୍ମଦିନ ପାର୍ଟୀରେ ବ୍ୟବହୃତ ହେଉଥିବା ଫୁଲଝରି ପ୍ରସ୍ତୁତ ହେଉଥିଲା।

Comments are closed.