Odisha Link
Bridging the Missing Links in Odisha

ରାଜସ୍ଥାନରେ ରାଜନୈତିକ ହଟଚମଟ, ହାତ ଛାଡ଼ିବେକି ପାଇଲଟ୍!

ଜୟପୁର: ମହାମାରୀ କରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଯୋଜନା ଓ ବିଧାୟକଙ୍କୁ କିଣାବିକା ହେଉଥିବା ଅଭିଯୋଗ ମଧ୍ୟରେ ଶନିବାର ରାତି ପର୍ଯ୍ୟନ୍ତ ରାଜନୈତିକ ହଟଚମଟ ଜାରି ରହିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୨ କଂଗ୍ରେସ ବିଧାୟକ ଏବଂ ୩ ସ୍ବାଧୀନ ବିଧାୟକ ଦିଲ୍ଲୀ ବ୍ୟତୀତ ହରିୟାଣାର ଏକ ହୋଟଲରେ ରହିଥିବା ସୂଚନା ରହିଛି।

ଏପରିକି ଆଜି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷେ ପୁଲିସ ଶନିବାର ଭରତ ମାଲାନୀ ଏବଂ ଅଶୋକ ସିଂହ ମେଟୱାଲା ନାମକ ଦୁଇ ନେତାଙ୍କୁ ରାଜସ୍ଥାନ ପୁଲିସର ସ୍ପେସାଲ ଅପରେସନ ଗ୍ରୁପ(ଏସଓଜି) ଯଥାକ୍ରମେ ବିୱାର ଓ ଉଦୟପୁରରୁ ଗିରଫ କରିଛି। ଏହି ୨ ବିଜେପି ନେତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି। ରାଜସ୍ଥାନ ସରକାର ଭାଙ୍ଗିଦେବା ଦ୍ବାରା ୧୦୦୦ରୁ ୨୦୦୦ କୋଟି ଟଙ୍କା ରୋଜଗାର ହୋଇପାରିବ ବୋଲି ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପକୁ ଆଧାର କରି ଏହି ଏଫ୍‌ଆଇଆର ରୁଜୁ ହୋଇଛି।

ଏହି ଘଟଣାରେ ଗେହଲଟ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଅତ୍ୟନ୍ତ ଲଜ୍ଜାହୀନ କାର୍ଯ୍ୟ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମୟରେ ଏଭଳି ଅନୈତିକ କାର୍ଯ୍ୟ ହେଉ ନ ଥିଲା। ଦେଶ କରୋନା ସଂକ୍ରମଣ ବିପତ୍ତିରେ ପଡ଼ିଥିବାବେଳେ ବିଜେପି ମାନବିକତା ହରାଇଛି ଓ ସମସ୍ତ ଅନୈତିକତାର ସୀମା ଅତିକ୍ରମ କରିଛି। ଏଭଳି ଲଜ୍ଜାର ସୀମା ରହିବା ଉଚିତ। ଗତ ମାସରେ ଗୁଜରାଟରେ ୭ ବିଧାୟକଙ୍କୁ କିଣି ଦୁଇଟି ରାଜ୍ୟସଭା ଆସନ ପାଇଛନ୍ତି। ମଧ୍ୟପ୍ରଦେଶରେ ୨୪ ବିଧାୟକଙ୍କୁ କିଣି କମଳନାଥଙ୍କ ସରକାରକୁ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ସେହିଭଳି ଗୋଆ, ମଣିପୁର, ଅରୁଣାଚଳ ପ୍ରଦେଶ ଭଳି ଖେଳ ରାଜସ୍ଥାନରେ ସଫଳ ଦେବ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପ୍ରଦେଶ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି ଯେ ଦୁଇ ଅପରାଧୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ଗେହଲଟ ତୁଚ୍ଛା ଅଭିଯୋଗ ଆଣିଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଏହାର ସିବିଆଇ ତଦନ୍ତ ହେବା ଉଚିତ। ସୂଚନାଯୋଗ୍ୟ ଯେ ରାଜ୍ୟ ବିଧାନସଭାର ୨୦୦ ଆସନରୁ କଂଗ୍ରେସର ୧୦୭ ସଦସ୍ୟ ଥିବାବେଳେ ଏହା ଅନ୍ୟ ୩ କ୍ଷୁଦ୍ର ଦଳ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପାଇଛି।

Comments are closed.