Odisha Link
Bridging the Missing Links in Odisha

ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଏହାହିଁ ଉପଯୁକ୍ତ ସମୟ: ମୋଦି

ନୂଆଦିଲ୍ଲୀ: ପିଏମ୍‌ ନରେନ୍ଦ୍ର ମୋଦି ଆଜି ‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି। ୟୁଏସ୍‌ ଇଣ୍ଡିଆ ବିଜନେସ୍‌ କାଉନସିଲ୍‌ ପରିଷଦ ଗଠନର ୪୫ ବର୍ଷ ପୂରଣ ଉପଲକ୍ଷେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ପିଏମ୍‌ ମୋଦି କହିଛନ୍ତି ଯେ, ବିଶ୍ବର ଏକ ଉନ୍ନତ ଭବିଷ୍ୟତ ଆବଶ୍ୟକ ବୋଲି ଆମେ ସମସ୍ତେ ସହମତ। ଆମ ସମସ୍ତଙ୍କୁ ଏକାଠି ହୋଇ ଭବିଷ୍ୟତକୁ ସ୍ବରୁପ ଦେବାକୁ ପଡିବ। ମୁଁ ଆନ୍ତରିକତାର ସହ ବିଶ୍ବାସ କରେ ଯେ ଭବିଷ୍ୟତର ଆମର ଦୃଷ୍ଟିକୋଣ ମୁଖ୍ୟତ ମାନବ-କେନ୍ଦ୍ରିତ ହେବା ଉଚିତ୍।

ଘରୋଇ ଆର୍ଥିକ ସାମର୍ଥ୍ୟ ଦ୍ୱାରା ବିଶ୍ୱ ଅର୍ଥନୈତିକ ସ୍ଥିରତା ହାସଲ କରାଯାଇପାରିବ। ଏହାର ଅର୍ଥ ବିନିର୍ମାଣ ପାଇଁ ଘରୋଇ କ୍ଷମତାକୁ ସୁଦୃଢ଼ କରିବା, ଆର୍ଥିକ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରିବା ଏବଂ ଆନ୍ତର୍ଜାତୀୟ ବାଣିଜ୍ୟରେ ବିବିଧତା ଆଣିବା। ଆହୁରି ସେ କହିଛନ୍ତି,‘ଆତ୍ମନିର୍ଭର ଭାରତ’ ଯୋଜନା ଆରମ୍ଭ କରି ଏକ ସମୃଦ୍ଧ ବିଶ୍ୱ ନିର୍ମାଣରେ ଆମେ ସହଯୋଗ କରୁଛୁ। ଏଥିପାଇଁ ଆମେ ଆପଣଙ୍କର ସହଭାଗୀତା ଆବଶ୍ୟକ କରୁ।

ସମଗ୍ର ବିଶ୍ୱରେ ଭାରତ ଏବେ ସମ୍ଭାବନାର ଦେଶ ପାଲଟିଛି। ଏଣୁ ଭାରତରେ ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ମୋଦି କହିଛନ୍ତି ଯେ ପ୍ରତିବର୍ଷ ଭାରତ ରେକର୍ଡ ବିଦେଶୀ ପୁଞ୍ଜି ଆକୃଷ୍ଟ କରୁଛି। କରୋନା କାଳରେ ମଧ୍ୟ ଭାରତ ୨୦ ବିଲିୟନ ଡଲାର ଏଫଡିଆଇ ଆକୃଷ୍ଟ କରିପାରିଛି । ଭାରତର ଉତଥାନର ଅର୍ଥ ହେଉଛି, ଏପରି ଏକ ଦେଶ ସହ ବାଣିଜ୍ୟିକ ସୁଯୋଗ ଯାହା ଉପରେ ଭରସା କରିହେବ ।

ମୋଦି ଆହୁରି କହିଛନ୍ତି ଯେ, ଗତ ଛଅ ବର୍ଷରେ ଭାରତୀୟ ଅର୍ଥନୀତିକୁ ଅଧିକ ମୁକ୍ତ କରାଯାଇଛି, ବ୍ୟବସାୟ ପ୍ରକ୍ରିୟାକୁ ସରଳ କରାଯାଇଛି। ଏସବୁ ସଂସ୍କାର ଦ୍ୱାରା ଭାରତରେ ବ୍ୟବସାୟ କରିବା ଅଧିକ ସରଳ, ସ୍ୱଚ୍ଛ ଓ ପ୍ରତିଯୋଗିତା ମୂଳକ ହୋଇଯାଇଛି। ସେ କୃଷି, ଟେକନଲୋଜୀ, ସ୍ୱାସ୍ଥ୍ୟସେବା, ପ୍ରତିରକ୍ଷା, ବିମାନଚଳାଚଳ ଆଦି କ୍ଷେତ୍ରରେ ନିବେଶ କରିବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି।

Comments are closed.